ଅଷ୍ଟ୍ରେଲିଆକୁ ହରାଇ ଚମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ

ଦୁବାଇ: ଚମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରଥମ ଦଳ ଭାବେ ଭାରତ ପ୍ରବେଶ କରିଛି । ଆଜି ଖେଳା ଯାଇଥିବା ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ହରାଇ ଭାରତ ଫାଇନାଲକୁ ଯାଇଛି । ଏହାସହ ଭାରତ ଆଷ୍ଟ୍ରେଲିଆ ପାଖଣୁ ବିଶ୍ବକପର ପ୍ରତିଶୋଧ ଚମ୍ପିୟନ୍ସ ଟ୍ରଫିରେ ନେଇଛି ।
ଆଜିର ମ୍ୟାଚରେ ଭାରତୀୟ ଖେଳାଳିଙ୍କ ଧର୍ଯ୍ୟପୂର୍ଣ୍ଣ ବାଟିଂ ଦେଖିବାକୁ ମିଳିଥିଲା । ୨୬୫ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଭାରତର ଦୁଇ ଓପ୍ନର ରୋହିତ ଏବଂ ଶୁଭମନ ଗିଲ୍ ଧର୍ଯ୍ୟର ସହ ଇଂନିସ୍ ଆରମ୍ଭ କରିଥିଲେ । ହେଲେ ଗିଲ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ୧୧ ବଲରୁ ମାତ୍ର ୮ ରନ କରି ଗିଲ ଆଉଟ ହୋଇଯାଇଥିଲେ । ଏହାପରେ ପଡ଼ିଆକୁ ଆସିଥିଲେ ବିରାଟ କୋହଲି । ରୋହିତ ଭଲ ଆରମ୍ଭ ଦେଇଥିଲେ ବି ବଡ଼ ସ୍କୋର କରିପାରି ନଥିଲେ । ୨୯ ବଲରୁ ୨୮ ରନ୍ କରି ରୋହିତ ଆଉଟ ହୋଇଯାଇଥିଲେ । ୪୩ ରନରେ ଦୁଇ ଓପ୍ନରଙ୍କ ଆଉଟ ପରେ ଚାପରେ ଭାରତ ଥିବା ବେଳେ ପଡ଼ିଆକୁ ଓହ୍ଲାଇଥିଲେ ଶ୍ରେୟସ ଆୟର । ବିରୋଟଙ୍କ ସହ ମିଶି ସେ ଧର୍ଯ୍ୟର ସହ ବ୍ୟାଟିଂ କରିବା ସହ ସ୍ଥିତିକୁ ସମ୍ଭାଳି ଥିଲେ । ଆୟର ୬୨ ବଲରେ ୪୫ ରନ୍ କରି ଆଉଟ ହେବା ପରେ ଅକ୍ଷର ପଟେଲ ଫିଲ୍ଡକୁ ଆସିଥିଲେ । ସେ ମଧ୍ୟ ବିରାଟଙ୍କ ଭଲ ସାଥ ଦେଇଥିଲେ । ୩୦ ବଲରେ ୨୭ ରନ୍ କରି ସେଟ୍ ହୋଇ ଆସୁଥିବା ବେଳେ କ୍ଲିନ ବୋଲ୍ଡ ହୋଇଯାଇଥିଲେ । ତେବେ ଅକ୍ଷରଙ୍କ ପରେ ଫିଲ୍ଡକୁ ଆସିଥିଲେ କେ.ଏଲ. ରାହୁଲ । ଆରମ୍ଭରୁ ଏକ, ଦୁଇ ରନ୍ ଉପରେ ଫୋକସ କରିଥିଲେ । ଆଉ ଅନ୍ୟପଟେ ବିରାଟ ଚୌକା, ଛକା ଛାଡ଼ି ସିଙ୍ଗଲରେ ରନ୍ କରି ୮୪ ରନରେ ପହଞ୍ଚି ଯାଇଥିଲେ । ବିରାଟ ସହଜରେ ଶତକ ମାରିବା ସହ ଭାରତର ବିଜୟ ମୁଣ୍ଡି ମାରି ଫେରିବା ପରି ଲାଗୁଥିବା ବେଳେ, ଏକ ବଡ଼ ସର୍ଟ ଖେଳିବା ଛକ୍କରରେ ଜାମ୍ପାଙ୍କ ଦ୍ବାରା ଆଉଟ୍ ହୋଇଯାଇଥିଲେ । ଏହାପରେ ଫିଲ୍ଡକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଆଉ ଚିରାଚରିତ ଢଙ୍ଗରେ ୩ଟି ବିଶାଳ ଛକା ଓ ଗୋଟିଏ ଚୌକା ସହାୟତାରେ ବିସ୍ଫୋରକ ୨୮ ରନ କରି ଅଷ୍ଟ୍ରେଲିଆର ବିଜୟ ଆଶାକୁ ଧୂଳିସାତ କରି ଦେଇଥିଲେ । ବିଜୟ ପାଇଁ ୪ ରନ୍ ବାକି ଥିବା ବେଳେ ରାହୁଲ ଏକ ବିରାଟ ଛକା ମରି ଭାରତକୁ ବିଜୟ ମୁକୁଟ ପିନ୍ଧାଇ ଥିଲେ ।
ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ ଏବଂ ଆଦମ ଜାମ୍ପା ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଥିବା ବେଳେ ଦ୍ବାରଶୁଇସ୍ ଓ କୁପର କନୋଲି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଷ୍ଟ୍ରେଲିଆ । ୫୦ ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ ୨୬୪ ରନ୍ କରିଥିଲା । ଦଳ ପକ୍ଷରୁ ଟ୍ରାଭିସ୍ ହେଡ ୩୯, ଲାବୁଶାନ ୨୯, ସ୍ମିଥ ୭୩, ଆଲେକ୍ସ କେରୀ ୬୧, ଗ୍ଲେନ ମାକ୍ସଓ୍ବେଲ ୭, ବେନ ଦ୍ବାରଶୁଇସ୍ ୧୯ ଓ ଜାମ୍ପା ୭ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି ଓ୍ବିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତି ଏବଂ ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ସେହିପରି ଅକ୍ଷର ପଟେଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମିଳିଥିଲା ।