ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ, ବଦଳିପାରେ ଚାମ୍ପିୟନ୍ସ ଟ୍ରଫି ସୂଚୀ

1 min read

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପ ପରେ ଆଇସିସି ପକ୍ଷରୁ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ପାଇଁ ଆୟୋଜନ ଜାରି ରହିଛି । ଆସନ୍ତାବର୍ଷ ଫେବୃୟାରୀ ମାସରୁ ଖେଳାଯିବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି । ଯାହାକୁ ଆୟୋଜନ କରିବାକୁ ଯାଉଛି ପାକିସ୍ତାନ । ତେବେ ଟିମ ଇଣ୍ଡିଆ ପାକିସ୍ତାନ ଯିବନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଥିବା ଏକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଉଭୟ ଦେଶ ମଧ୍ୟରେ ସମ୍ପର୍କ ନଥିବାରୁ ଭାରତ ପାକିସ୍ତାନ ଯିବନି ବୋଲି କୁହାଯାଉଛି । ଯେଉଁ କାରଣରୁ ଉଭୟ ଦେଶ ମଧ୍ୟରେ କୌଣସି ଦ୍ବିପାକ୍ଷିକ ସିରିଜ ମଧ୍ୟ ଖେଳାଯାଉନାହିଁ । ଭାରତ ୨୦୦୮ ମସିହା ପରଠାରୁ ପାକିସ୍ତାନ ଗସ୍ତରେ ଭାରତ ଟିମ ଯାଇନାହିଁ । ଅନ୍ୟପଟେ ୨୦୧୨-୧୩ ମସିହାରେ ଶେଷଥର ପାଇଁ ଦ୍ବିପାକ୍ଷିକ ମ୍ୟାଚ ଖେଳାଯାଇଥିଲା ।

ତେବେ ଉଭୟ ଦଳ କେବଳ ଆଇସିସିର ବଡ଼ ଟୁର୍ଣ୍ଣମେଣ୍ଟରେ ସାମନା ସାମନି ହୋଇଥାନ୍ତି । ପାକିସ୍ତାନ ଏସିଆ କପ ଆୟୋଜନ କରିଥିବାବେଳେ ଭାରତୀୟ ଦଳ ଯାଇନଥିଲା । ଫଳରେ ଶ୍ରୀଲଙ୍କାରେ ଭାରତୀୟ ଦଳର ମ୍ୟାଚ ଗୁଡ଼ିକ ଅନୁଷ୍ଠିତ ହୋଇଥିଲା । ଏଣୁ ଏବେ ପୁଣି ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଆୟୋଜନ କରୁଥିବାବେଳେ ଭାରତ ନଯିବାକୁ କହିଛି । ଏଣୁ ଭାରତର ମ୍ୟାଚ ଗୁଡ଼ିକ କେଉଁଠି ଆୟୋଜିତ ହେବ ତାହା ଚର୍ଚ୍ଚାର ବିଷୟ । ତେବେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ପାଇଁ ସିଡ୍ୟୁଲ କରିଥିବାବେଳେ ଏବେ ବଦଳାଯିବ ବୋଲି ମଧ୍ୟ କୁହାଯାଉଛି  । ଆଗାମି ଦିନରେ ଶ୍ରୀଲଙ୍କାରେ ଆଇସିସି ପକ୍ଷରୁ ଏକ ବୈଠକ ହେବାକୁ ଥିବାବେଳେ ଏଥିରେ ସ୍ପଷ୍ଠ କରାଯାଇପାରେ ।