ଆଜି ଅମିତ ଶାହଙ୍କୁ ଭେଟି ପାରନ୍ତି ଚମ୍ପାଇ ସୋରେନ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ଡେରା ପକାଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ସେ ରବିବାରଠାରୁ ଦିଲ୍ଲୀରେ ରହିଥିବାବେଳେ ବିଜେପିରେ ମିଶିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏଯାବତ ତାଙ୍କର ବିଜେପି ନେତାଙ୍କ ସହ ସାକ୍ଷାତ ହୋଇନାହିଁ । କୁହାଯାଉଛି କି, ଆଜି ଶାହଙ୍କ ସହ ସାକ୍ଷାତ କରିପାରନ୍ତି ଚମ୍ପାଇ ସୋରୋନ । କିନ୍ତୁ ଏଯାବତ ବିଜେପି ପକ୍ଷରୁ ଗ୍ରୀନ ସିଗନାଲ ମିଳିନଥିବା କୁହାଯାଉଛି । ଝାଡ଼ଖଣ୍ଡର ଆାଦିବାସୀ ନେତା ଚମ୍ପାଇ ସୋରେନ ୭ଥର ବିଧାୟକ ହୋଇଛନ୍ତି । ହେମନ୍ତ ସୋରେନ ଜେଲ ଯିବା ପରେ ସେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ହେମନ୍ତ ଜେଲରୁ ଫେରିବା ପରେ ଉଭୟଙ୍କ ମଧ୍ୟ ତିକ୍ତତା ଦେଖିବାକୁ ମିଳିଛି । ଯେଉଁ କାରଣରୁ ସେ ନିଜର ସୋସିଆଲ ମିଡିଆରୁ ଜେଏମଏମ ଲୋଗେ ମଧ୍ୟ ହଟାଇଛନ୍ତି । ଅନ୍ୟପଟେ ଘରେ ଲାଗିଥିବା ଦଳୀୟ ପତାକାକୁ ମଧ୍ୟ କାଢ଼ି ଦେଇଛନ୍ତି । ସେ ବିଜେପିରେ କିଛି ବିଧାୟକଙ୍କ ସହ ଯୋଗଦେବେ ବୋଲି ଦିଲ୍ଲୀରେ ଡେରା ପକାଇଛନ୍ତି । ୭ରୁ ଅଧିକ ବିଧାୟକ ତାଙ୍କ ସହ ଥିବା ନେଇ ସେ ଯୁକ୍ତି ବାଢ଼ୁଥିବାବେଳେ ଏବେ ଦିଲ୍ଲୀରେ ମାତ୍ର ୩ ଜଣ ବିଧାୟକ ସାଙ୍ଗରେ ରହିଛନ୍ତି ।

ରାଜେନୖତିକ ମହଲରେ ଚର୍ଚ୍ଚା ହେଉଛି କି, ଚମ୍ପାଇଙ୍କ ସହ କମ ବିଧାୟକ ରହିଥିବାରୁ ବିଜେପି ତାଙ୍କୁ ନେବାକୁ ଇଛା ପ୍ରକାଶ କରି ନାହିଁ । ଯେଉଁ କାରଣରୁ ତାଙ୍କ ସହ ଏଯାବତ କୌଣସି ନେତା ଭେଟି ନାହାନ୍ତି । ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରହିଥିଲେ ସୁଦ୍ଧା ସେ ଭେଟିନାହାନ୍ତି । ଏହାସହ ଝାଡ଼ଖଣ୍ଡର ବିଜେପି ସଭାପତି ବାବୁଲାଲ ମାରାଣ୍ଡି କହିଛନ୍ତି କି, ଚମ୍ପାଇ ଜଣେ ଅଭିଜ୍ଞ ନେତା । ସେ ନିଜର ରାଜେନୖତିକ ପନ୍ଥା ଆପଣାଇବେ । ଆମ ସହ ତାଙ୍କର କୌଣସି ଆଲୋଚନା ହୋଇନାହିଁ । ଅନ୍ୟପଟେ କୁହାଯାଉଛି କି, ମାରାଣ୍ଡି ଚାହୁଁ ନାହାନ୍ତି କି, ସୋରେନ ବିଜେପିରେ ଯୋଗ ଦିଅନ୍ତୁ । ଆଉ ଏକ ସୂଚନା ମୁତାବକ ଚମ୍ପାଇ ସୋରେନ ଏକ ଛୋଟ ଦଳ ଗଠନ କରିବା ସହ ଏନଡିଏ ମେଣ୍ଟରେ ମିଶିପାରନ୍ତି ।