spot_img

Latest Posts

ତେଜିଲା ଝାଡ଼ଖଣ୍ଡ ରାଜନୀତି : ୬ ଜେଏମଏମ ବିଧାୟକଙ୍କ ସହ ଦିଲ୍ଲୀ ଗଲେ ଚମ୍ପାଇ ସୋରେନ

ରାଞ୍ଚି :  ଝାଡ଼ଖଣ୍ଡରେ ତେଜିଲା ରାଜନୀତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଜେପିରେ ସାମିଲ ହେଉଥିବା ଚର୍ଚ୍ଚା। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ୬ ବିଧାୟକଙ୍କୁ ନେଇ ଆଜି ସକାଳୁ ଦିଲ୍ଲୀ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ। ଦିଲ୍ଲୀରେ ବିଜେପିର ପ୍ରମୁଖ ନେତାଙ୍କ ସହ ସାକ୍ଷାତ କରିପାରନ୍ତି ଚମ୍ପାଇ। ନିଜର କିଛି କର୍ମଚାରୀଙ୍କୁ ନେଇ ଦିଲ୍ଲୀ ଯାଇଛନ୍ତି ଚମ୍ପାଇ ସୋରେନ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ଯୋଗାଯୋଗରେ ଅଛନ୍ତି ଚମ୍ପାଇ।

ଦିଲ୍ଲୀ ଯାଇଥିବା ୬ ବିଧାୟକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁନି। ଏହି ସମସ୍ତ ବିଧାୟକ ବିଜେପିରେ ସାମିଲ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀ ଯାଇଥିବା ବିଧାୟକ ହେଲେ ଦଶରଥ ଗଗରାଇ, ରାମଦାସ ସୋରେନ, ଚମରା ଲିଣ୍ଡା, ଲୋବିନ ହେମ୍ବ୍ରମ ଏବଂ ସମୀର ମହାନ୍ତି। ଗତକାଲି ରାତିରୁ ଚମ୍ପାଇ କୋଲକାତାରେ ଏକ ହୋଟେଲରେ ରହିଥିଲେ। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ ଚମ୍ପାଇ।ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆସାମ ଯିବାର ମଧ୍ୟ ସମ୍ଭାବନା ରହିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଝାଡ଼ଖଣ୍ଡ ପ୍ରଭାରୀ ରହିଛନ୍ତି। ଝାଡ଼ଖଣ୍ଡରେ ହେମନ୍ତ ସୋରେନ ଜେଲରୁ ବାହାରିବା ପରେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା। ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିବା ଶୁଣିବାକୁ ମିଳୁଛି।

ସେପଟେ ଚମ୍ପାଇଙ୍କ ଦିଲ୍ଲୀଗସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଝାଡଖଣ୍ଡ ବିଜେପି ପୂର୍ବତନ ଅଧ୍ୟକ୍ଷ ଦୀପକ ପ୍ରକାଶ। ଚମ୍ପାଇଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଯେପରି ହଟାଗଲା ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଝାଡ଼ଖଣ୍ଡର ପୂର୍ବତନ ବିଜେପି ସଭାପତି। ଗତ ଜୁଲାଇରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଚମ୍ପାଇ ସୋରେନ। ଚମ୍ପାଇ ଗତ ୨ ଫେବୃଆରୀରୁ ୩ ଜୁଲାଇ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ଝାଡ଼ଖଣ୍ଡର ସପ୍ତମ ମୁଖ୍ୟମନ୍ତ୍ରୀ ଥିଲେ ଚମ୍ପାଇ। ଝାଡ଼ଖଣ୍ଡର ଜଣେ ବରିଷ୍ଠ ରାଜନେତା ହିସାବରେ ଚମ୍ପାଇ ସୋରେନ ପରିଗଣିତ ହେଉଛନ୍ତି।

Latest Posts

Don't Miss