ଏହି ଡକାୟତଠାରୁ ଆସିଥିଲା ସୋଲେ’ର ଲୋକପ୍ରିୟ ଡାଇଲଗ୍‌, ବେଟା ଶୋ ଯା ବରନା…

ନୂଆଦିଲ୍ଲୀ: ‘ୟାହାଁ ସେ ପଚାଷ ପଚାଷ କୋଷ ଦୂର, ଗାଓଁ ମେ’ ଜବ୍‌ ବଚ୍ଚା ରୋତା ହେ, ତୋ ମା’ କେହତି ହୈ, ଶୋ ଯା’ ବେଟା ଶୋ ଯାଓ ନେହିଁ ତୋ ଗବ୍ବର ସିଂହ ଆଯାଏଗା ।’

ଫିଲ୍ମ ସୋଲେରେ ଅମ୍‌ଜାଦ୍‌ ଖାନ୍‌ଙ୍କ ଏହି ଡାଇଲଗ୍‌ ଏବେ ବି ଲୋକଙ୍କ ମୁହଁରେ ରହିଛି । ଏମିତିବି କଥା ରହିଛି ଯେ, ସୋଲେ ଫିଲ୍ମ ଯେତେବେଳେ ରିଲିଜ୍‌ ହୋଇଥିଲା ସେତେବେଳେ ଏହି ଡାଇଲଗ୍‌ ମା’ ମାନେ ନିଜ ପିଲାଙ୍କୁ ଶୁଆଇବା ପାଇଁ କହୁଥିଲେ ।

କିନ୍ତୁ ଆପଣ ଜାଣନ୍ତି କି ସୋଲେର ଏହି ଡାଇଲଗ୍ ଚମ୍ବଲର ଯେଉଁ ସତସତିକା ଡାକୁଠାରୁ ଆସିଥିଲା ତା’ର ପ୍ରକୃତ ନାଁ ହେଉଛି ମୋହର ସିଂହ ଗୁଜ୍ଜର । ଚମ୍ବଲ ଘାଟିରେ ରବିନ୍‌ ହୁଡ୍‌ ନାଁରେ ଏହି ଡାକୁ ବେଶ୍‌ ଜଣାଶୁଣା ଥିଲେ । ମଙ୍ଗଳବାର ୯୨ ବର୍ଷ ବୟସରେ ତାଙ୍କର ପରେଲୋକ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ୧୯୮୨ରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ଚମ୍ବଲ କେ ଡାକୁରେ ମୋହର ସିଂହ ଗୁଜ୍ଜର କାମ କରିଥିଲେ ।

ତେବେ ସୋଲେ ପିଲ୍ମ ବହୁତ ବଡ଼ ସୁପରହିଟ୍‌ ହୋଇଥିଲା । ଦର୍ଶକ ଏହାକୁ ବେଶ୍‌ ଗ୍ରହଣ କରିଥିଲେ । ଏହି ଚଳଚ୍ଚିତ୍ରରେ ଅମ୍‌ଜାଦ୍‌ ଖାନ ଡାକୁ ଗବର ସିଂହ ଭାବେ ଏକ ଜୀବନ୍ତ ଅଭିନୟ କରୁଥିଲେ । ବର୍ଷ ବର୍ଷ ପରେ ମଧ୍ୟ, ତାଙ୍କ କଥିତ ସଂଳାପ ଲୋକମାନଙ୍କ ମୁହଁରେ ରହିଛି ।

୧୯୬୦ ମସିହାରେ, ଚାମ୍ବଲ ଘାଟିରେ ଡାକୁ ମୋହର ସିଂହ ବନ୍ଧୁକ ଧରି ରାଜ୍‌ କରୁଥିଲେ । ମୋହର ସିଂଙ୍କ ନାଁ ଶୁଣିଲେ ଲୋକ ଥରି ଉଠୁଥିଲେ । ମୋହର ସିଂ ୧୨ ବର୍ଷ ଧରି ଘାଟିରେ ରାଜ୍‌ କରିଥିଲେ । ସେ ୧୯୭୨ରେ ସେ ନିଜକୁ ସମର୍ପଣ କରିଦେଇଥିଲେ । ଏହା ପରେ ସେ ପରିବାର ସହିତ ରହି ଚାଷବାଷ କାମ କରୁଥିଲେ ।

ଲୋକଙ୍କ କହିବାନୁଯାୟୀ ଜମିବାଡ଼ି ମାମଲା ଯୋଗୁଁ ମୋହର ସିଂହ ବନ୍ଧୁକ ଧରି ଡକାୟତ ସାଜିଥଲା । ଜମିବାଡ଼ି ବିବାଦକୁ ନେଇ ପୋଲିସ କୌଣସି ସମାଧାନ ନକରିବାରୁ ସେ ଏଭଳି ପନ୍ଥା ଆପଣାଇଥିଲେ । ଆତ୍ମସମର୍ପଣ କରିବା ପରେ ମୋହର ସିଂ ରାଜନୀତିରେ ମଧ୍ୟ ପାଦ ଥାପି ଥିଲେ । ଆଉ ସେଥିରେ ସଫଳ ମଧ୍ୟ ହୋଇଥିଲେ । ନାଗର ପଞ୍ଚାୟତ ମେହଗାଓଁର ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ ।

Leave a Reply