ଭଲ କଲେଜରେ ପଢ଼ିବା ଏବେ ଚ୍ୟାଲେଞ୍ଜ

1 min read

ଭୁବନେଶ୍ବର: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ରେଜଲ୍ଟ ହୋଇଛି । ମାଟ୍ରିକ ପାସ୍ କରିଛନ୍ତି ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ । ଏମାନଙ୍କ ମଧ୍ୟରୁ ଏ-ଓ୍ବାନ୍ ଗ୍ରେଡରେ ରେକର୍ଡ ସଂଖ୍ୟକ ୮ ହଜାର ୧୧୯ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ସମସ୍ତଙ୍କ ପସନ୍ଦ ବିଜେବି, ରେଭେନସା, ରମାଦେବୀ, ପୁରୀ ଏସସିଏସ୍, ଫକୀରମୋହନ ପରି ଏଲିଟ୍ କଲେଜ । ଅଧିକାଂଶ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଭଲ ହୋଇଛି । ହେଲେ କଲେଜରେ ସୀମିତ ସଂଖ୍ୟକ ସିଟ୍ । ଗତବର୍ଷ କରୋନା ଯୋଗୁଁ ବିନା ପରୀକ୍ଷାରେ ବିକଳ୍ପ ପଦ୍ଧତିରେ ମାର୍କିଂ ହେବାରୁ ୯୭ ପ୍ରତିଶତ ପାସ୍ ହାର ଥିଲା । ତେଣୁ କଲେଜଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ପସନ୍ଦ ମୁତାବକ ସିଟ୍ ବଢାଇବାକୁ ଅନୁମତି ଦେଇଥିଲେ ରାଜ୍ୟ ସରକାର । ହେଲେ ଚଳିତବର୍ଷ ସିଟ୍ ବଢିବ ନାହିଁ । ପ୍ରତିଯୋଗିତାମୂଳକ ଭାବେ କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ ।

ପ୍ରତି ବର୍ଷ ଦଶମ ପରବର୍ତ୍ତୀ ପାଠ୍ୟକ୍ରମ ପାଇଁ ୪୪୩ କଲେଜରେ ୬ ଲକ୍ଷ ୩ ହଜାର ୧୧୩ ସିଟ୍ ରହୁଥିଲା । ଏଥିରେ ଜୁନିଅର କଲେଜରେ ୪ ଲକ୍ଷ ୪୩ ହଜାର ୩୫୪ ସିଟ୍ ଥିବାବେଳେ ସରକାରୀ ଡିପ୍ଲୋମାରେ ୧୦ ହଜାର ୯୧୭ ଓ ଘରୋଇ ଡିପ୍ଲୋମା କଲେଜରେ ୫୩ ହଜାର ୪୦୦ ସିଟ୍ ରହୁଥିଲା । ସେହିପରି ସରକାରୀ ଆଇଟିଆଇରେ ୧୮ ହଜାର ୨୫୮ ସିଟ୍ ଓ ଘରୋଇ ଆଇଟିଆଇରେ ୭୭ ହଜାର ୧୮୪ ସିଟ ବ୍ୟବସ୍ଥା କରାଯାଉଥିଲା। ଏଥିସହ ପାଖାପାଖି ୧୦ ହଜାର ସିଟ୍ ସିବିଏସଇ ଓ ଆଇସିଏସଇ ସ୍କୁଲରେ ରହୁଥିଲା । ତେବେ ଗତବର୍ଷ ଚାହିଦା ବଢିବାରୁ ଜୁନିଅର କଲେଜଗୁଡ଼ିକୁ ୨୦ ପ୍ରତିଶତ ସିଟ୍ ବୃଦ୍ଧିର ଅନୁମତି ମିଳିଥିଲା । ଗତ ଶିକ୍ଷା ବର୍ଷର ବର୍ଦ୍ଧିତ ସିଟ୍ ସଂଖ୍ୟା ଅନୁସାରେ ହିଁ ଚଳିତବର୍ଷ ନାମଲେଖା ହେବ । ହେଲେ ଏଯାଏଁ ସିବିଏସଇ ଓ ଆଇସିଏସଇ ରେଜଲ୍ଟ ବାହାରିନି । ସେମାନଙ୍କ ପାସ୍ ହାର ଅଧିକ ରହିଲେ, ଜୁନିଅର କଲେଜଗୁଡ଼ିକରେ ସିଟ୍ ବୃଦ୍ଧିର ଆବଶ୍ୟକତା ପଡ଼ିପାରେ । ଏଥିସହ ପଡ଼ୋଶୀ ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ଛାତ୍ରଛାତ୍ରୀଙ୍କର ବି ଓଡ଼ିଶା କଲେଜ ପସନ୍ଦ ।

କୋଭିଡ ପରେ ପ୍ରଥମ ଥର ପାଇଁ ଅଫଲାଇନ ପରୀକ୍ଷା ହୋଇଥିଲା । ଆଉ ସେଥିରେ ବି ରେଜଲ୍ଟ ରେକର୍ଡ କରିଛି । ପାଠପଢା ଧୀରେ ଧୀରେ ଟ୍ରାକକୁ ଫେରୁଥିବା ବେଳେ, ଭଲ କଲେଜଟିଏ ପାଇଁ ଏବେ ଛାତ୍ରଛାତ୍ରୀଙ୍କୁ ସଂଘର୍ଷ କରିବାକୁ ପଡିବ ।