କୋଚି ଉପକୂଳରେ ବୁଡ଼ିଗଲା ବିଦେଶୀ ମାଲବାହୀ ଜାହାଜ

1 min read

ନନ୍ଦିଘୋଷ ବ୍ୟୁରୋ: କୋଚି ଉପକୂଳ ସମୁଦ୍ରରେ ବୁଡ଼ିଗଲା ବିଦେଶୀ ମାଲବାହୀ ଜାହାଜ । ଏଥିରେ ଥିବା ୨୧ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି । ଏକାଧିକ ମାଲବାହୀ କଣ୍ଟେନର ସହିତ ଜାହାଜଟି ଗତ ରାତି ୧୦ଟା ସୁଦ୍ଧା କୋଚି ପହଞ୍ଚିବା ପୂର୍ବରୁ ବୁଡ଼ି ଯାଇଛି ।

ଜାହାଜରେ ଥିବା ୨୪ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨୧ ଜଣଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରିଛି । ଆଶଙ୍କା କରାଯାଉଛି, ମାଲବାହୀ ଜାହାଜରେ ଥିବା କଣ୍ଟେନରରେ କିଛି ବିପଦପୂର୍ଣ୍ଣ ସାମଗ୍ରୀ ଥାଇପାରେ । କାରଣ ଜାହାଜ ପାଖକୁ ନ ଯିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା । ଜାହାଜଟି ଲାଇବେରିଆର ବୋଲି ଜଣାପଡ଼ିଛି । କୋଚିର ଦକ୍ଷିଣ-ପଶ୍ଚିମରେ ପ୍ରାୟ ୩୮ ନଟିକାଲ୍ ମାଇଲ୍ ଦୂରରେ ବୁଡ଼ି ଯାଇଛି। ଜାହାଜଟି ୨୩ ମେ’ ୨୦୨୫ରେ ଭିଜିଞ୍ଜାମ ବନ୍ଦରରୁ କୋଚି ଅଭିମୁଖେ ଯାତ୍ରା କରିଥିଲା । ନିକଟରେ ଥିବା ଜାହାଜ ଓ ବିମାନ ନିୟୋଜିତ କରି ତଟରକ୍ଷୀ ବାହିନୀ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରଖିଥିଲା । ସମ୍ଭାବ୍ୟ ପରିବେଶ କ୍ଷତିକୁ ହ୍ରାସ କରିବାକୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।