ପ୍ରଣବଙ୍କ ସରକାରୀ କ୍ବାର୍ଟର୍ସକୁ ନେଇ ବିଭ୍ରାନ୍ତିକର ଖବର ପ୍ରସାରଣ କରି ବଦନାମ କରିବାକୁ ଉଦ୍ୟମ

1 min read

ଭୁବନେଶ୍ବର: ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ବାର୍ଟର୍ସକୁ ନେଇ ନିର୍ଦ୍ଧିଷ୍ଟ ଗଣମାଧ୍ଯମରେ ବିଭ୍ରାନ୍ତିକର ଖବର ପରିବେଷଣ ଚାଲିଛି । ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ବାର୍ଟର୍ସ ରାଜଭବନ ନିକଟରେ ରହିଛି । କ୍ବାର୍ଟର୍ସ ନମ୍ବର ହେଉଛି-VIIIMR-1 । ପ୍ରଣବ ପ୍ରକାଶ ଦାସ ଏବେ ବିଧାୟକ ନାହାନ୍ତି । ତେବେ ବିଧାୟକ ପଦରୁ ଯିବା ପରେ ଯେ କେହି ୬ ମାସ ପର୍ଯ୍ୟନ୍ତ ସରକାରୀ କ୍ବାର୍ଟର୍ସକୁ ରଖିପାରିବେ । ଇତିମଧ୍ଯରେ ପ୍ରଣବ ପ୍ରକାଶ ଦାସ ନିଜ ସରକାରୀ କ୍ବାର୍ଟର୍ସକୁ ଫେରାଇବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ଯମରେ ଏକ ଖବର ପ୍ରକାଶ ପାଇଛି ଯେ, ପ୍ରଣବ ପ୍ରକାଶ ଦାସ ସରକାରୀ କ୍ବାର୍ଟର୍ସରୁ ସରକାରୀ ସମ୍ପତ୍ତି ନେଇ ଚାଲିଯାଉଛନ୍ତି ।

ପ୍ରକୃତ କଥା ହେଲା ପ୍ରଣବ ପ୍ରକାଶ ଦାସ ସମ୍ପୃକ୍ତ କ୍ବାର୍ଟର୍ସରେ ନିଜ ଖର୍ଚ୍ଚରେ କିଛି ଜିନିଷ ଲଗାଇଥିଲେ । ଅତୀତରେ ମଧ୍ଯ ପ୍ରଣବ ପ୍ରକାଶଙ୍କ ସରକାରୀ ବାସଭବନରେ କେତେ ସରକାରୀ ଅର୍ଥ ଖର୍ଚ୍ଚ ହୋଇଛି ସେ ସମ୍ପର୍କରେ ଆରଟିଆଇରେ ପାଞ୍ଚ ପାଞ୍ଚ ଥର ତଥ୍ଯ ମଗାଯାଇଥିଲା । ଏପରିକି ବିଧାନସଭାରେ ମଧ୍ଯ ଖର୍ଚ୍ଚ ସଂକ୍ରାନ୍ତରେ ତଥ୍ଯ ଉପସ୍ଥାପନ କରାଯାଇଥିଲା । ଏହି କ୍ବାର୍ଟର୍ସରେ ସମୁଦାୟ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ତଥ୍ଯ ଉପସ୍ଥାପିତ ହୋଇଥିଲା । କିନ୍ତୁ ଏହି ଗଣମାଧ୍ଯମ ଅତିରଞ୍ଜିତ କରି ଖବରକୁ ପରିବେଷଣ କରୁଥିବା ଦେଖିବାକୁ ମିଳିଛି । ଏହାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି । ଯେଉଁ ଗଣମାଧ୍ଯମ ଏହା କରୁଛି ସମ୍ପୃକ୍ତ ଗଣମାଧ୍ଯମର ମାଲିକ ଅତୀତରେ ଯେଉଁସବୁ କାରନାମା କରିଛନ୍ତି ତାହା ରାଜ୍ଯବାସୀଙ୍କୁ ବେଶ ଜଣାଅଛି ।