ଦର ବୃଦ୍ଧି ଯୋଗୁଁ ପୁଣି ଚୂଲି ମୁଣ୍ଡକୁ ଫେରିଲେଣି ଗୃହିଣୀ

Centre's Ujjwala Scheme Failed In Odisha

ଭୁବନେଶ୍ୱର: ବିଫଳତାର ଉଦାହରଣ କେନ୍ଦ୍ରର ଉଜ୍ଜ୍ୱଳା ଯୋଜନା । ଆକାଶଛୁଆଁ ଗ୍ୟାସ୍‌ ଦର ଯୋଗୁଁ ଏବେ ଗରିବ ମହିଳା ଗ୍ୟାସ୍‌ ଜାଳିବାକୁ ନାପସନ୍ଦ କଲେଣି । ପୁଣି ସେହି ଚୂଲି ଉପରେ ଭରସା କରୁଛନ୍ତି । ଦୁଃସ୍ୱପ୍ନ ପାଲଟିଛି କେନ୍ଦ୍ରର ଅଚ୍ଛେଦିନ୍‌ ପ୍ରତିଶ୍ରୁତି । ମଧ୍ୟବିତ୍ତଙ୍କ ବଜେଟ୍‌ ବିଗାଡ଼ିଲାଣି ଗ୍ୟାସ ଦର ବୃଦ୍ଧି । ଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦ ପ୍ରତିଶତ ବୃଦ୍ଧି ପାଇଛି । ଯାହାକୁ ନେଇ ସମାଲୋଚନାର ଶିକାର ହେଉଛନ୍ତି କେନ୍ଦ୍ର ସରକାର ।

Centre's Ujjwala Scheme Failed In Odisha

ତେଜ ହରାଇଲାଣି ଉଜ୍ଜ୍ୱଳା ଯୋଜନା । ଘରେ ପଡ଼ି ପଡ଼ି ଗ୍ୟାସ୍ ଟାଙ୍କିରେ ଲାଗିଲାଣି କଳଙ୍କି । ବର୍ଦ୍ଧିତ ଗ୍ୟାସ୍‌ ଦର ଦେଖି ପୁଣି ଚୂଲି ଜାଳିଲେଣି ମହିଳା । ଚୂଲି ଧୂଆଁରୁ ମୁକ୍ତି ପାଇଁ ଆରମ୍ଭ ହୋଇଥିବା ଉଜ୍ଜ୍ୱଳା ଯୋଜନା ଆଜି ସଙ୍କଟ ପାଲଟିଗଲାଣି । ଗତ ସାଢ଼େ ୩ ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦ ପ୍ରତିଶତ ବଢ଼ିଛି । ଥରେ ଗ୍ୟାସ ସରିଲେ, ରିଫିଲିଂ ପାଇଁ ମଧ୍ୟବିତ୍ତ ପରିବାରରେ ବଜେଟ୍‌ ନାହିଁ ।

Centre's Ujjwala Scheme Failed In Odisha

ବାଲେଶ୍ୱର ଜିଲ୍ଲା ଅଙ୍ଗାଗଡ଼ିଆ ଗାଁ ବାସିନ୍ଦା ପାର୍ବତୀ ସୋରେନ । ଛୋଟ ବଡ଼ ହୋଇ ୧୫ ଜଣିଆ ପରିବାର । ୨ ବର୍ଷ ପୂର୍ବରୁ ତାଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣା ଟାଙ୍କି ଓ ଷ୍ଟୋଭ୍‌ ମିଳିଥିଲା । ସେତେବେଳେ ୬୫୦ ଟଙ୍କାରେ ଗ୍ୟାସ୍‌ ପୂରାଇ ୧୫ ଦିନ ରୋଷେଇ କରୁଥିଲେ । ହେଲେ ଏବେ ହଜାରେ ଟଙ୍କା ଦେଇ ଗ୍ୟାସ୍‌ ପୂରାଇବାକୁ ସକ୍ଷମ ନୁହଁନ୍ତି । ଦୁଇ ତିନି ମାସ ହେଲାଣି ଗ୍ୟାସ୍‌ ଟାଙ୍କିକୁ ବସ୍ତାରେ ପୂରାଇ ରଖି ଦେଇଛନ୍ତି ।

Centre's Ujjwala Scheme Failed In Odisha

ସୋନପୁରରେ ମଧ୍ୟ ଘରେ ଘରେ ସମାନ ସ୍ଥିତି । କେନ୍ଦ୍ର ସରକାରଙ୍କର ଏହି ମହତ୍ୱାକାଂକ୍ଷୀ ଯୋଜନା ଲୋକଙ୍କ କାମରେ ଆସୁନି । କାହାର ଗ୍ୟାସ୍ ଟାଙ୍କି ଖତ ଗଦାରେ ପଡ଼ିଥିବା ବେଳେ କାହାର ଘରେ ନାମକୁ ମାତ୍ର ଶୋଭାବର୍ଦ୍ଧନ କରୁଛି ସଲିଣ୍ଡର । କେନ୍ଦ୍ର ସରକାରଙ୍କର ଏହି ଖାଉଟି ମାରଣ ନୀତିକୁ ତୀବ୍ର ବିରୋଧ କରିଛନ୍ତି ଉପଭୋକ୍ତା । ଯାଜପୁର ଜିଲ୍ଲାରେ ବି ଉଜ୍ଜ୍ୱଳା ଯୋଜନାର ବିଫଳତା କିଛି କମ୍‌ ନୁହେଁ । ଗ୍ୟାସ୍‌ ଛାଡ଼ି କେବେଠୁ ମହିଳା ମାନେ ଚୂଲିକୁ ଆଦରି ସାରିଲେଣି । ଗରିବ ମହିଳାଙ୍କ ମୁହଁରେ ଖୁସି ଆଣିବାକୁ ୨୦୧୬ ମେ ପହିଲାରେ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର ।

Leave a Reply