spot_img

Latest Posts

କରୋନା ଟିକା ନେଇ ରାଜ୍ୟକୁ କେନ୍ଦ୍ରର ଚିଠି, ଟୀକାକରଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟକୁ ଆସିବ କରୋନା ଟିକା। ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତିକୁ ଠିକ ଭାବରେ ନିଭେଇଛନ୍ତି। ଏହାରି ଭିତରେ କେନ୍ଦ୍ର ସରକାର ଗତକାଲି ଟୀକାକରଣ ପାଇଁ ପ୍ରସ୍ତୁତ ରହିବାକୁ ଚିଠି ଲେଖିଛନ୍ତି। ଅତି ନିକଟରେ ଓଡ଼ିଶାକୁ ଟିକା ଆସିବ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ସେହି ଚିଠିରେ ଟିକା କେବେ ଆସିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦିଆଯାଇନି। କିନ୍ତୁ ଯଦି ଟିକା ଆସେ ଓଡ଼ିଶା ଏଥିପାଇଁ ପୁରା ପ୍ରସ୍ତୁତ ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।

ତେବେ ଟିକା ତିଆରି କରୁଥିବା କମ୍ପାନୀ ପାଖରୁ ଓଡ଼ିଶାକୁ ସିଧା ଟିକା ଆସିବ। ଟିକା ଆସିବା ପରେ ଭୁବନେଶ୍ୱରରେ ଥିବା ଟିକା କେନ୍ଦ୍ରରେ ରଖାଯିବ। ଏହା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯିବ। ଜିଲ୍ଲାରେ ଟିକା ପହଞ୍ଚିଲା ପରେ ସେଠାରେ ଥିବା District Vaccine Store ଟିକା ରଖାଯିବ। ତେବେ ଟୀକାକରଣ ପାଇଁ ଯାହା ସରଞ୍ଜାମ ଅଛି ତାହା ଟୀକାକରଣ ପାଇଁ ଯଥେଷ୍ଟ ବୋଲି ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଡାଟାବେସ ଅନୁସାରେ ଟିକା ମଗାଯାଇଛି। ଡାଟାବେସକୁ ଦେଖି କେନ୍ଦ୍ର ନିଷ୍ପତ୍ତି ନେବ ଯେ କେତେ ଟିକା ପଠାଇବ।

ରାଜ୍ୟରେ ଟିକା ପହଞ୍ଚିଲା ପରେ ଜିଲ୍ଲାପାଳ ମାନେ କେଉଁଠି ଟୀକାକରଣ ହେବ, ସେନେଇ ୮ ତାରିଖ ସୁଦ୍ଧା ରିପୋର୍ଟ ଦେବେ ଏବଂ ସବୁ ପ୍ରକ୍ରିୟା ୧୦ ତାରିଖ ସୁଦ୍ଧା ସରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ରାଜ୍ୟ ଭ୍ୟାକସିନ ଷ୍ଟୋରକୁ ଟିକା ଆସିଲେ ସେଠୁ ୯ଟି ଆଞ୍ଚଳିକ ଟିକା ଷ୍ଟୋରକୁ ଟିକା ପଠାଯିବ। ଭୁବନେଶ୍ୱର, କଟକ, ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, କନ୍ଧମାଳ, ବଲାଙ୍ଗୀର ଏବଂ  ବାଲେଶ୍ୱରକୁ ଏଥିପାଇଁ ଚିହ୍ନଟ କରାଯାଇଛି। ସେଠାରୁ ୩୨ ଟି ଜିଲ୍ଲାରେ ଥିବା ଶୀତଳ କେନ୍ଦ୍ରକୁ ଟିକା ଯିବ।

Latest Posts

Don't Miss