ଜମ୍ମୁକଶ୍ମୀରକୁ ନେଇ ଭାରତ ଓ ଟ୍ୱିଟର ମଧ୍ୟରେ ବିବାଦ, ଅପପ୍ରଚେଷ୍ଟାରୁ ବିରତ ରହିବାକୁ ଚେତାବନୀ ଦେଲା ଭାରତ…

ନୂଆଦିଲ୍ଲୀ: ଟ୍ୱିଟର୍ ଭାରତ ସରକାରଙ୍କ ଆକ୍ରୋଶର ଶୀକାର ହୋଇଛି । ଟ୍ୱିଟର୍ ପକ୍ଷରୁ ଜମ୍ମୁକଶ୍ମୀରକୁ ଚୀନର ଅଂଶ ବିଶେଷ ବୋଲି ଦର୍ଶାଯିବା ପରେ ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ଏହି ବିବାଦ ଦେଖା ଦେଇଛି । ଲେହର ଭୌଗଳିକ ସ୍ଥିତିକୁ ଦର୍ଶାଇବାକୁ ଯାଇ ଟ୍ୱିଟର ଜମ୍ମୁକଶ୍ମୀରକୁ ଚୀନର ଏକ ଅଂଶ ଭାବେ ଚିତ୍ରଣ କରିଛି । ଏହାପରେ ଭାରତ ସରକାର ଟ୍ୱିଟର ସିଇଓଙ୍କୁ ଚିଠି ଲେଖି କଡା ସମାଲୋଚନା କରିବା ସହ ଭାରତର ସାର୍ବଭୌମତ୍ୱ ବିରୋଧରେ କୌଣସି ପ୍ରକାର ପଦକ୍ଷେପ ନନେବା ପାଇଁ ଚେତାବନୀ ଦେଇଛନ୍ତି ।

ଭାରତ ସରକାର ଟ୍ୱିଟରକୁ ଜଣାଇଛନ୍ତି ଯେ, ଲେହ ଓ ଜମ୍ମୁକଶ୍ମୀର ଭାରତର ଏକ ଅଭିନ୍ନ ଅଂଶ ଓ ଭାରତୀୟ ସମ୍ୱିଧାନ ଦ୍ୱାରା ଶାସିତ, ତେଣୁ ଏହା ବିରୋଧରେ କୌଣସି ପ୍ରକାର ଅପଚେଷ୍ଟା ନକରାଯିବା ଉଚିତ୍ । ଏଭଳି ଭୁଲ୍ ମାନଚିତ୍ର ପ୍ରକାଶ କରିବା ଦ୍ୱାରା ଟ୍ୱିଟରର ମଧ୍ୟ ମର୍ଯ୍ୟାଦା ଓ ନିରପେକ୍ଷ ଛବି ନଷ୍ଟ ହେଉଛି ।

ସେହିଭଳି ଲେହର ସାଂପ୍ରତିକ ସ୍ଥିତି ସମ୍ପର୍କରେ ସୂଚନା ଦେଇ ଭାରତ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ସଚିବ ଅଜୟ ସାହନୀ ଟ୍ୱିଟରକୁ ଚେତାବନୀ ଦେଇଛନ୍ତି । ସେ ଲେଖିଛନ୍ତି, ଲେହ, କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ମୁଖ୍ୟାଳୟ ଅଟେ । ଏଣୁ ଏହାକୁ ଚୀନ୍ ଅଧିନସ୍ଥ ବୋଲି ଦର୍ଶାଇବା ନିହାତି ପକ୍ଷେ ନିନ୍ଦନୀୟ କଥା । ଟ୍ୱିଟର ଏଭଳି ଅସାମ୍ୱିଧାନିକ କାର୍ଯ୍ୟରୁ ବିରତ ରହିବା ସହ ଭାରତୀୟଙ୍କ ସମ୍ୱେଦନଶୀଳ ମନୋଭାବକୁ ସମ୍ମାନ ଦେଉ ବୋଲି ଭାରତ ସରକାରଙ୍କ ପକ୍ଷରୁ ଲିଖିତ ଚିଠିରେ ଉଲ୍ଲେଖ ରହିଛି ।

Leave a Reply