ଗାନ୍ଧୀ ପରିବାରକୁ ବଦନାମ କରିବାକୁ କେନ୍ଦ୍ର କରୁଛି ଚକ୍ରାନ୍ତ: ପିସିସି ସଭାପତି

ଭୁବନେଶ୍ୱର: ଗାନ୍ଧୀ ପରିବାରକୁ ବଦନାମ କରିବାକୁ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ର ସରକାର । ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ଜେରା କରିବା ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନ ଆଗରେ ସତ୍ୟାଗ୍ରହ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଛାତ୍ର, ଯୁବ, ମହିଳା କଂଗ୍ରେସର ଶତାଧିକ ନେତା ଓ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଦେଶର ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧିରେ ସାଧାରଣ ଲୋକେ ଅତିଷ୍ଟ ।

ଏପରିକି ଚୁଡ଼ା, ମୁଢ଼ି ଓ ଖାଇବା ପାଇଁ ଜିଏସ୍‌ଟି ଦେବାକୁ ପଡ଼ୁଛି । ଏହି କଥା ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ସାଂସଦ ରାହୁଲ ଗାନ୍ଧି କହିବାରୁ ଆକ୍ରୋଶମୂଳକ ଭାବେ ଇଡି ଲଗାଇ ତାଙ୍କୁ ମିଛ ମାମଲାରେ ଫସାଇ ଦିଆଯାଇଛି । ଇଡିକୁ ଲଗାଇ ବିରୋଧୀଙ୍କ ସ୍ବରକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି । ଯାହାକୁ କଂଗ୍ରେସ ନିନ୍ଦା କରୁଛି । ଯେ ପର୍ଯ୍ୟନ୍ତ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ଉପରେ ଇଡି ମାମଲା ପ୍ରତ୍ୟାହାର ନ କରିଛି ସେ ପର୍ଯ୍ୟନ୍ତ ସାରା ଦେଶରେ କଂଗ୍ରେସ ଏପରି ସତ୍ୟାଗ୍ରହ ଜାରି ରଖିବ ।