ଆଜି ସଂସଦରେ ଆସିପାରେ ଦିଲ୍ଲୀ ଅଧ୍ୟାଦେଶ ବିଲ୍

ନୂଆଦିଲ୍ଲୀ :  ଆଜି ସଂସଦରେ ଆସିପାରେ ଦିଲ୍ଲୀ ଅଧ୍ୟାଦେଶ ବିଲ୍ । ମଣିପୁର ହଟ୍ଟଗୋଳ ଭିତରେ ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଆଣିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଯାହାକୁ ଦୃଢ ବିରୋଧ କରୁଛନ୍ତି ବିରୋଧୀ ସଦସ୍ୟ । ବିଲ ଆଗତ ପୂର୍ବରୁ ସବୁ ବିରୋଧୀ ଦଳଙ୍କୁ ଭେଟି ବିରୋଧ କରିବାକୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

ନିଜ ଦଳର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ସଂସଦରେ ଉପସ୍ଥିତ ରହିବାକୁ ଆପ ତରଫରୁ ହୁଇପ ଜାରି କରାଯାଇଛି । ଆପ କହିଛି କେନ୍ଦ୍ର ସରକାର ଅଗଣାତାନ୍ତ୍ରିକ ଓ ଦିଲ୍ଲୀବାସୀଙ୍କ ସ୍ବାର୍ଥ ବିରୋଧରେ ଏହି ବିଲ୍ ଆଣିବାକୁ ଯାଉଛନ୍ତି । ନିର୍ବାଚିତ ସରକାରକୁ ଉତ୍ତରଦାୟୀ କରିବା ସହିତ ପ୍ରଶାସନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ନିର୍ବାଚିତ ସରକାର ନେଇପାରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ ।

ତେବେ ତରବରିଆ ଭାବେ କେନ୍ଦ୍ର ସରକାର ଏହି ବିଲ୍ ଆଣି ଗଣତନ୍ତ୍ର ବିରୋଧୀ କାମ କରୁଥିବା ଆପ ଅଭିଯୋଗ ଆଣିଛି । ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଅନୁସାରେ, ଦିଲ୍ଲୀର ଗ୍ରୁପ ଏ ଅଧିକାରୀଙ୍କ ବଦଳି ଏବଂ ତାଙ୍କ ଉପରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନର ଅଧିକାର ଉପରାଜ୍ୟପାଳଙ୍କ ହାତରେ ରହିବ । ଯାହାକୁ ଦିଲ୍ଲୀ ସରକାର ବିରୋଧ କରୁଛନ୍ତି ।