ଆଦିବାସୀ ଇଲାକାରେ ପଥପ୍ରାନ୍ତ ନାଟକ, ଓଡିଶାରେ ଭାରତ ସରକାରଙ୍କ ଅଭିଯାନ

1 min read

କୋରାପୁଟ: ଆଦିବାସୀ ଇଲାକାରେ ପଥପ୍ରାନ୍ତ ନାଟକ  ।  ଖାଉଟି ଅଧିକାର ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯାତନାକୁ ନେଇ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅଭିଯାନ ଆରମ୍ଭ ହୋଇଛି  । ଭାରତ ସରକାରଙ୍କ ନ୍ୟାୟ ବିଭାଗ “ଖାଉଟି ସୁରକ୍ଷା ଆଇନ୍‌-୨୦୧୯” ଏବଂ “କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧାଦେଶ ଏବଂ ପ୍ରତିକାର) ଆଇନ୍‌-୨୦୧୩” ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ଆଇଇସି
(ସୂଚନା, ଶିକ୍ଷା ଏବଂ ଯୋଗାଯୋଗ) ଅଭିଯାନ ଆରମ୍ଭ କରିଛି ।

ଏହି ଅଭିଯାନର ଏକ ଅଂଶ ଭାବରେ, କୋରାପୁଟରେ ପଥ ପ୍ରାନ୍ତ ନାଟକର ଆୟୋଜନ କରାଯାଇଥିଲା  । ଏହା ଓଡିଶାର ଅନ୍ୟ ୮ଟି ଜିଲ୍ଲା ରାୟଗଡା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ଜାନୁୟାରୀ ୨୨ ପର୍ଯ୍ୟନ୍ତ ଜାରି ରହିବ । ଓଡିଶାର ଅନେକ ଦୂର ତଥା ଆଭ୍ୟନ୍ତରୀଣ ଗ୍ରାମରେ ଲୋକମାନେ ସେମାନଙ୍କ ମୌଳିକ ଅଧିକାର ବିଷୟରେ ସର୍ବନିମ୍ନ କିମ୍ବା ଆଂଶିକ ସଚେତନ ଥିଲେ । ତେଣୁ ଏହି ଆଇଇସି ସଚେତନତା ଅଭିଯାନ ମାଧ୍ୟମରେ ସେମାନଙ୍କ ଖାଉଟି
ଅଧିକାର ଉଲଂଘନ, ପକ୍ଷପାତୀ ବାଣିଜ୍ୟ ଅଭ୍ୟାସ ଏବଂ ଗ୍ରାହକଙ୍କ ଅଧିକାର ପ୍ରତି କ୍ଷତି ପହଞ୍ଚାଇଥିବା ସମସ୍ତ ପରିସ୍ଥିତି ଇତ୍ୟାଦି ବିଷୟରେ ଅବଗତ କରାଯାଇଥିଲା । ଏହା ବ୍ୟତୀତ ମହିଳାମାନଙ୍କୁ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଯୌନ ନିର୍ଯାତନା ବିଷୟରେ ଅବଗତ କରାଯାଇଥିଲା ।

ଯେପରିକି ଯୌାନ କାର୍ଯ୍ୟ ପାଇଁ ବାଧ୍ୟ କିମ୍ବା ଅନୁରୋଧ କରିବା, ଆପତ୍ତିଜନକ କିମ୍ବା ଅଶ୍ଲୀଳ ମନ୍ତବ୍ୟ ଦେବା, ଅଶ୍ଲୀଳ ଭିଡିଓ ଦେଖାଇବା ଏବଂ ଅନ୍ୟ କୌଣସି ଅପ୍ରୀତିକର
ଶାରୀରିକ, ମୌଖିକ ଇତ୍ୟାଦି ଯୌନ ଆଚରଣ କରିବା । ଏହି ଆଇଇସି ଅଭିଯାନ ଭୁବନେଶ୍ୱରରେ ଅବସ୍ଥିତ ସ୍ୟାଡୋ ଆଡ୍‌ଭାଟାଇଜିଂ ଆଣ୍ଡ କମ୍ୟୁନିକେଶନ ପ୍ରାଇଭେଟ୍‌
ଲିମିଟେଡ୍ ଏବଂ ଭାରତ ସରକାରଙ୍କ ନ୍ୟାୟ ବିଭାଗ ପକ୍ଷରୁ ଦିଶା ଯୋଜନା ଅନ୍ତର୍ଗତ ଆଇନଗତ ସାକ୍ଷରତା ଓ ଆଇନ ସଚେତନତା ଅଧିନରେ କାର୍ଯ୍ୟକାରୀ କରାଯାଇଥିଲା ।