ମନରେଗା ଯୋଜନାରେ କେନ୍ଦ୍ର ଦେଉନି ଅର୍ଥ: ରାଜ୍ୟ ଦେଉଥିବା ଅର୍ଥକୁ ଖର୍ଚ୍ଚ କରିବାକୁ ଅନୁମତି ବି ଦେଉନି

1 min read

ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରିତାରେ ଓଡ଼ିଶାକୁ ଉପେକ୍ଷା । ନିଜ ରାଜ୍ୟରେ ନିଜ ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟକୁ ଅନୁମତି ଦେଉନାହିଁ କେନ୍ଦ୍ର । ମନରେଗା ଯୋଜନାରେ କେନ୍ଦ୍ର ସରକାର ସଠିକ୍ ସମୟରେ କେନ୍ଦ୍ରୀୟ ଅନୁଦାନ ଦେଉନଥିବାରୁ ରାଜ୍ୟରେ ଲୋକଙ୍କୁ କାମ ଯୋଗାଇବା ପାଇଁ ସରକାର ନିଜସ୍ୱ ପାଣ୍ଠିରୁ ୪୫୨କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ । କେନ୍ଦ୍ର ସରକାର ଯୋଜନା ପାଇଁ ଅର୍ଥ ତ ଦେଲେ ନାହିଁ, ରାଜ୍ୟ ସରକାର ଦେଉଥିବା ଅର୍ଥକୁ ଖର୍ଚ୍ଚ କରିବାକୁ ଅନୁମତି ବି ଦେଉନାହାନ୍ତି । ଏହାକୁ ନେଇ ବିଜେଡ଼ି କହିଛି, କେନ୍ଦ୍ର ସରକାର କେବଳ କଥାରେ ବିଶ୍ୱାସ କରନ୍ତି, କାମରେ ନୁହେଁ ।

ମନରେଗା ପାଇଁ କେନ୍ଦ୍ର ସରକାରଙ୍କ ନାହିଁ ଆନ୍ତରିକତା । ଖାଲି କଥା, କେନ୍ଦ୍ର ସରକାରଙ୍କ କାମ ଶୂନ । କେନ୍ଦ୍ରର ଆଭିମୁଖ୍ୟ ଉପରେ ବର୍ଷିଲା ବିଜେଡି । ରାଜ୍ୟର ନିଜସ୍ୱ ଅର୍ଥ ଖର୍ଚ୍ଚ କରିବାକୁ ବି ଅନୁମତି ଦେଉନି କେନ୍ଦ୍ର । ଗ୍ରାମାଞ୍ଚଳରେ ଗରିବଙ୍କୁ କାମ ଦେବା ପାଇଁ ନରେଗା ଯୋଜନାକୁ ଗୁରୁତ୍ୱ ଦେଉନାହାନ୍ତି କେନ୍ଦ୍ର ସରକାର । ୨୦୨୧-୨୨ରେ ସ୍ଥିରୀକୃତ ହୋଇଥିବା ୨ଲକ୍ଷ ୭୦ହଜାର ୬୨୧ ପ୍ରକଳ୍ପରୁ ପ୍ରାୟ ଅଢେଇ ଲକ୍ଷ ପ୍ରକଳ୍ପ ଅର୍ଥ ଅଭାବରୁ ଅଧାପନ୍ତରିଆ ଭାବେ ପଡ଼ିରହିଛି । ବାରମ୍ବାର ଅନୁଦାନ ପାଇଁ କେନ୍ଦ୍ରକୁ ଅବଗତ କରିବା ପରେ ମଧ୍ୟ ଅର୍ଥ ନ ଆସିବାରୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୪୫୨କୋଟିର ବ୍ୟବସ୍ଥା କଲେ । ଅଧା କାମକୁ ସାରିବା ସାଙ୍ଗକୁ ଲୋକଙ୍କୁ କାମ ଦେବା ପାଇଁ ରାଜ୍ୟ ସରକାର ଅର୍ଥର ବ୍ୟବସ୍ଥା କରି କେନ୍ଦ୍ରକୁ ଅନୁମତି ମାଗିଲେ । ହେଲେ କେନ୍ଦ୍ରରୁ ନା ମିଳିଲା ଅର୍ଥ ନା ମିଳିଲା ଅନୁମତି ।

ଏଥର ବଜେଟରେ ନରେଗା ଯୋଜନାରେ କେନ୍ଦ୍ର ସରକାର ୨୫ ପ୍ରତିଶତ ବ୍ୟୟବରାଦ ହ୍ରାସ କରିଛନ୍ତି । ୯୮ହଜାର କୋଟି ଟଙ୍କାରୁ ୭୩ହଜାର କୋଟିକୁ ଖସିଆସିଛି ବଜେଟ ପରିମାଣ । ଏହାର ପ୍ରଭାବ ଓଡ଼ିଶା ଭଳି ରାଜ୍ୟରେ ପଡ଼ିଛି । ଗତ ବର୍ଷ କେନ୍ଦ୍ର ଅର୍ଥ ନ ଦେବାରୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୭୫୨ କୋଟି ଟଙ୍କା ଦେଇଥିଲେ । ଏହି ଅର୍ଥ ଏ ଯାଏଁ ଫେରାଇନାହାନ୍ତି କେନ୍ଦ୍ର ସରକାର । କୋଭିଡରେ କାମ ହରାଇଥିବା ଗାଁ ଲୋକଙ୍କ ହାତକୁ କାମ ଯୋଗାଇବା ପାଇଁ ରାଜ୍ୟ ସରକାର ଭରପୁର ଉଦ୍ୟମ କରୁଥିଲେ ମଧ୍ୟ କେନ୍ଦ୍ର ସହଯୋଗ କରୁନାହାନ୍ତି । କେନ୍ଦ୍ର ସରକାରଙ୍କ ଏପରି ବେପରୁଆ ମନୋବୃତ୍ତିକୁ ସମାଲୋଚନା କରିଛନ୍ତି ସମୀକ୍ଷକ । ନରେଗା ପ୍ରତି କେନ୍ଦ୍ର ସରକାରଙ୍କ ଗୁରୁତ୍ୱ ହ୍ରାସ ପାଇବା ସହ ଆଭିମୁଖ୍ୟ ବି ବଦଳିଛି । ଯାହା ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଦିନ ମଜୁରିଆଙ୍କ ପାଇଁ କାଳ ହୋଇଛି ।