ଡରାଉଛି ମଙ୍କିପକ୍ସ ସଂକ୍ରମଣ, ସବୁ ବିଦେଶ ଫେରନ୍ତାଙ୍କ ସ୍କ୍ରିନିଂ ପାଇଁ ବିମାନବନ୍ଦରଗୁଡ଼ିକୁ ପରାମର୍ଶ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲା ‘ମଙ୍କିପକ୍ସ’ ଭାଇରସ । କେରଳରେ ଦ୍ବିତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ । କୁନ୍ନୁର ଏହି ବ୍ୟକ୍ତିଙ୍କର ପରିୟାରାମ ମେଡିକାଲ କଲେଜରେ ଚିକିତ୍ସା ଜାରି ରହିଛି । ତାଙ୍କ ଅବସ୍ଥା ସ୍ଥିର ରହିଛି । ଯେଉଁମାନେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ଉପରେ କଡା ନଜର ରଖାଯାଇଛି । ସଂକ୍ରମିତ ବ୍ୟକ୍ତି ଜଣକ ଜୁଲାଇ ୧୩ରେ କେରଳରେ ପହଞ୍ଚିଥିଲେ । ଏନେଇ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୋମବାର ସୂଚନା ଦେଇଛନ୍ତି । ଦ୍ୱିତୀୟ ମାମଲା ଚିହ୍ନଟ ପରେ ସତର୍କତା ଅବଲମ୍ବନ କରିଛନ୍ତି କେନ୍ଦ୍ର ସରକାର । ସଂକ୍ରମଣ ବଢ଼ିବା ପୂର୍ବରୁ ଏହାକୁ ଚିହ୍ନଟ କରି ସଂକ୍ରମଣ ରୋକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଥିବା ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରଗୁଡିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅନ୍ତର୍ଜାତୀୟ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ସମସ୍ତ ବନ୍ଦର ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣଳୟ, ବିମାନବନ୍ଦର ଓ ବନ୍ଦର କର୍ତ୍ତୃପକ୍ଷଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଗୁରୁବାର ଦେଶରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଗତ ସପ୍ତାହରେ ଦୁବାଇରୁ ଫେରିଥିବା ୩୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଦେଖାଦେବା ପରେ ତାଙ୍କ ପରୀକ୍ଷା କରାଯାଇଥିଲା। ଏହାପରେ ସେ ମଙ୍କିପକ୍ସ ସଂକ୍ରମିତ ଥିବା ଜଣାପଡିଥିଲା । ପ୍ରଥମ ସଂକ୍ରମିତ ଜୁଲାଇ ୧୨ରେ ଦୁବାଇରୁ ଫେରିବା ପରେ ସଂକ୍ରମିତ ହୋଇଥିଲେ । କେରଳରୁ ମଙ୍କିପକ୍ସର ଦୁଇଟି ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିମାନ ବନ୍ଦରରେ ସୁରକ୍ଷା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛି। ବିଦେଶରୁ ଫେରୁଥିବା ଲୋକଙ୍କ ଯାଞ୍ଚ ଚାଲିଛି। କୁନ୍ନୁର ଏୟାରପୋର୍ଟରେ ସ୍ୱତନ୍ତ୍ର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି।