MHA Guidelines: କଣ୍ଟେନମେଣ୍ଟ ଜୋନ୍ ଉପରେ ଫୋକସ୍, ରାତ୍ରୀ-କର୍ଫ୍ୟୁକୁ ଅନୁମତି

ନୂଆଦିଲ୍ଲୀ: କରୋନା ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କଲାଣି । ରାଜଧାନୀରେ ୩ୟ ପର୍ଯ୍ୟାୟ ଓ ଦେଶର ଅନେକ ରାଜ୍ୟରେ ୨ୟ ପର୍ଯ୍ୟାୟ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ସ୍ଥିତି ପୁଣି ଥରେ ବେକାବୁ ହେବା ପୂର୍ବରୁ କେନ୍ଦ୍ର ସରକାର ଡିସେମ୍ୱର ମାସର ଗାଇଡଲାଇନକୁ ସାମାନ୍ୟ ଅଧିକ କଟକଣା ଯୁକ୍ତ କରିବା ଉପରେ ଫୋକସ୍ କରିଛନ୍ତି । ଆଜି କେନ୍ଦ୍ର ସରକାରଙ୍କର ଡିସେମ୍ୱର ଏକରୁ ଦେଶରେ ଲାଗୁ ହେବାକୁ ଥିବା କରୋନାଜନିତ ନିର୍ଦ୍ଦେଶନାମାର ଘୋଷଣା ହୋଇଛି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା ହୋଇଥିବା ଗାଇଡଲାଇନରେ ଥିବା ସବିଶେଷ ସୂଚନାକୁ ବିନ୍ଦୁରେ ପ୍ରକାଶ କରାଯାଉଛି ।

  • ଡିସେମ୍ବର ୧ ଲାଗୁ ହେବ ଗାଇଡ୍ ଲାଇନ୍
  • କଣ୍ଟେନମେଣ୍ଟ୍ ଜୋନରେ କେବଳ ଆବଶ୍ୟକ ଗତିବିଧିକୁ ଅନୁମତି
  • କଣ୍ଟେନମେଣ୍ଟ ଜୋନ୍ ବ୍ୟବସ୍ଥା ପାଇଁ ସ୍ଥାନୀୟ ପ୍ରଶାସନ ଦାୟୀ ରହିବ
  • କଣ୍ଟେନମେଣ୍ଟ ଜୋନ୍ ମଧ୍ୟକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା
  • ରାତ୍ରୀକାଳିନ କର୍ଫ୍ୟୁ ଲଗାଇପାରିବେ ରାଜ୍ୟ
  • ଭିଡ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇପାରିବେ ରାଜ୍ୟ ସରକାର
  • ଘରକୁ ଘର ଯାଞ୍ଚ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରିବେ ( ଆବଶ୍ୟକତା ଦେଖି)

ତେବେ ପୂର୍ବଭଳି ଲକଡାଉନ ଲଗାଇବା ପାଇଁ ରାଜ୍ୟ ସରକାର ମନମୁଖୀ କାର୍ଯ୍ୟକଳାପକୁ ଗ୍ରହଣ କରାଯିବ ନାହିଁ । କେନ୍ଦ୍ର ସରକାରଙ୍କ ଅନୁମତି ପରେ ଲକଡାଉନ କଟକଣା ଲାଗି ପାରିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଗତ ମାସରେ ମଧ୍ୟ ଏହି ପ୍ରାବଧାନ ଥିଲା ଯାହାକୁ କେନ୍ଦ୍ର ସରକାର ପରିବର୍ତ୍ତନ କରିବାକୁ ଆଗ୍ରହ ଦେଖାଇ ନାହାନ୍ତି । ଖେଳାଳିଙ୍କ ପାଇଂ ସୁଇମିଂ ପୁଲ୍ ଖୋଲିବା, ଅଧା କ୍ଷମତାରେ ସିନେମା ହଲ୍ ଚାଲିବା ଭଳି ନିଷ୍ପତ୍ତି ଗତ ମାସଠାରୁ କାର୍ଯ୍ୟକାରୀ ହେଉଥିବା ହେତୁ ଏଭଳି ଆଇନରେ ସରକାର କୌଣସି ପରିବର୍ତ୍ତନ କରିନାହାନ୍ତି । ପୂର୍ବ ଭଳି ସବୁ କଟକଣା ସମାନ ଭାବେ ଲାଗୁ ହୋଇଛି । ସେହିଭଳି ଡିସେମ୍ୱର ମାସ ପାଇଁ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିଛି । ଅନ୍ୟପକ୍ଷରେ କରୋନା ସଚେତନତା ମାନିବା ପାଇଁ ନାଗରିକଙ୍କୁ ସରକାର ଅପିଲ୍ କରିଛନ୍ତି । ଭ୍ୟାକ୍ସିନ ନଆସିବା ପର୍ଯ୍ୟନ୍ତ ନାଗରିକମାନେ ନିଜ ସୁରକ୍ଷାର ଦାୟିତ୍ୱ ନିଜେ ନିଅନ୍ତୁ  । ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତ୍ୱ ମାନନ୍ତୁ ବୋଲି ସରକାର କହିଛନ୍ତି ।

Leave a Reply