ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାକୁ ଆତଙ୍କବାଦୀ ଘୋଷଣା କଲା କେନ୍ଦ୍ର

ଅଟାୱା: କାନାଡାରେ ବାସ କରୁଥିବା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାକୁ ଆତଙ୍କବାଦୀ ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ୩୩ ବର୍ଷ ବୟସ୍କ ଲଖବୀର ଖଲିସ୍ତାନ ଗୋଷ୍ଠୀ ବାବର ଖଲାସା ଇଣ୍ଟରନ୍ଯାସନାଲ ବା ବିକେଆଇର ସଦସ୍ୟ । ଗତ ୨୦୨୧ରେ ମୋହାଲିରେ ପଞ୍ଜାବ ପୋଲିସର ଗୁଇନ୍ଦା ମୁଖ୍ୟାଳୟରେ ହୋଇଥିବା ରକେଟ ହମଲା ଯୋଜନାର ସେ ଥିଲା ମାଷ୍ଟରମାଇଣ୍ଡ । ସେହିପରି ୨୦୨୨ ଡିସେମ୍ବରରେ ତର୍ନ ତରନର ସରହାଲି ପୋଲିସ ଷ୍ଟେସନରେ ହୋଇଥିବା ଆରପିଜି ଆକ୍ରମଣରେ ସେ ସାମିଲ ଥିଲା ।

ଲଖବୀର ପଞ୍ଜାବ ବାସିନ୍ଦା ହୋଇଥିଲେ ବି ସେ ଦୀର୍ଘ ଦିନ ଧରି କାନାଡାରେ ବସବାସ କରୁଛି । ଭାରତ ବିରୋଧରେ ଅନେକ ଷଡ଼ଯନ୍ତ୍ରରେ ସେ ସାମିଲ ଥିବା ଅଭିଯୋଗ ହୋଇଆସୁଛି । ଗତ ସେପ୍ଟେମ୍ବରରେ ଲଖବୀର ସହ ସମ୍ପର୍କିତ ଅପରାଧୀମାନଙ୍କୁ ଠାବ କରିବା ଲାଗି ପଞ୍ଜାବ ପୋଲିସ 48ଟି ସ୍ଥାନରେ ରେଡ୍ କରିଥିଲା । ଗତ ସେପ୍ଟେମ୍ବରରେ ଲାଣ୍ଡା ହାରିକେ ନାମରେ ଜଣେ ବ୍ୟକ୍ତି ଜଣେ ବ୍ୟବସାୟୀଙ୍କ ଠାରୁ ୨୧ ଲକ୍ଷ ଟଙ୍କା ମାଗିିବା ନେଇ ଅଭିଯୋଗ ହେବା ପରେ ବିଭିନ୍ନ ସ୍ଥାନରେ ରେଡ ହୋଇଥିଲା ।