ମିଛ, ଦେଶ ବିରୋଧୀ ଖବର ପାଇଁ ୨୨ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ଲକ୍ କଲେ ସରକାର

1 min read
Centre Blocked 22 YouTube Channel For Fake News

ନୂଆଦିଲ୍ଲୀ: ସରକାରଙ୍କ ଡିଜିଟାଲ୍ ଷ୍ଟ୍ରାଇକ୍ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୨୨ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ କରିଛି । ୨୨ଟି ୟୁଟ୍ୟୁବ୍ ସହ କେନ୍ଦ୍ର ସରକାର ୩ଟି ଟ୍ୱିଟର ଆକାଉଣ୍ଟ, ଗୋଟିଏ ଫେସବୁକ୍ ପେଜ୍ ଓ ୱେବସାଇଟକୁ ବ୍ଲକ୍ କରିଛନ୍ତି । ଏସବୁ ଆକାଉଣ୍ଟରେ ବିଭିନ୍ନ ଟିଭି ଚ୍ୟାନେଲର ଲୋଗୋ ବ୍ୟବହାର କରି ମିଛ ଖବର ଦ୍ୱାରା ଦର୍ଶକଙ୍କୁ ଭ୍ରମିତ କରାଯାଉଥିଲା । କେତେବେଳେ ୟୁକ୍ରେନ୍ ଯୁଦ୍ଧକୁ ନେଇ ଭାରତ ବନ୍ଦ ତ ଆଉ କେତେବେଳେ ଫିଲିସ୍ତିନ୍ ଉପରେ ଭାରତ କବଜା କରିଥିବା ଏସବୁ ଆକାଉଣ୍ଟରେ ଖବର ପ୍ରସାରଣ କରାଯାଉଥିଲା ।

ଆଇଟି ନିୟମ ୨୦୨୧ ଅଧୀନରେ ପ୍ରଥମ ଥର ପାଇଁ ୧୮ଟି ଭାରତୀୟ ୟୁଟ୍ୟୁବ୍ ଚ୍ୟାନେଲ୍ ସହ ପାକିସ୍ତାନରୁ ପରିଚାଳିତ ୪ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ କରାଯାଇଛି । ବ୍ଲକ୍ ହୋଇଥିବା ୟୁଟ୍ୟୁବ୍ ଚ୍ୟାନେଲକୁ ପାଖାପାଖି ୨୬୦ କୋଟି ଦର୍ଶକ ଦେଖିଥିଲେ । ଏସବୁ ଆକାଉଣ୍ଟ ମିଛ ଖବର ପ୍ରସାରଣରେ ଉପଯୋଗ ହେଉଥିଲା । ଜାତୀୟ ସୁରକ୍ଷା, ଭାରତର ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ଆଇନ୍ ଶୃଙ୍ଖଳା ପରିସ୍ଥିତି ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମିଛ ଖବର ପ୍ରସାରଣ କରି ଅସ୍ଥିରତା ସୃଷ୍ଟି ଥିଲା ଉଦ୍ଦେଶ୍ୟ ।

ବନ୍ଦ କରାଯାଇଥିବା ଚ୍ୟାନେଲ୍ ଭାରତୀୟ ସୈନ୍ୟ, ଜମ୍ମୁ କାଶ୍ମୀର ଭଳି ବିଭିନ୍ନ ପ୍ରସଙ୍ଗକୁ ଅତିରଞ୍ଜିତ କରି ମିଛ ଖବର ପ୍ରସାରଣ କରୁଥିଲା । ଏପରିକି ପାକିସ୍ତାନ ପ୍ରାୟୋଜିତ ଏକାଧିକ ଚ୍ୟାନେଲ୍ ସୋସିଆଲ୍ ମିଡିଆରେ ଭାରତ ବିରୋଧୀ ପୋଷ୍ଟ କରୁଥିଲେ । ୟୁକ୍ରେନ୍ ଯୁଦ୍ଧକୁ ନେଇ ଭାରତର ବୈଦେଶିକ ସମ୍ପର୍କ ଖରାପ କରିବା ଉଦ୍ଦେଶ୍ୟରେ କରୁଥିଲେ ମିଥ୍ୟା ଖବର ପ୍ରସାରଣ । ଏଥିରେ ସେମାନେ ବିଭିନ୍ନ ଲୋକପ୍ରିୟ ଟିଭି ନ୍ୟୁଜ୍ ଚ୍ୟାନେଲର ଲୋଗୋ ସହ ପ୍ଲେଟ୍ ବ୍ୟବହାର କରୁଥିଲେ । ଆଉ ଏସବୁ ମିଛ, ଦେଶ ବିରୋଧୀ ଖବରର ଉତ୍ସ ପାକିସ୍ତାନରୁ ବୋଲି ତଦନ୍ତ ବେଳେ ଜଣାପଡ଼ିଛି ।

ଡିସେମ୍ବର ୨୦୨୧ ଠାରୁ ଆଜି ଯାଏ ଜାତୀୟ ସୁରକ୍ଷା, ସାର୍ବଜନୀନ ଆଇନଶୃଙ୍ଖଳାକୁ କ୍ଷତି ପହଞ୍ଚାଇବା ଲାଗି ଉଦ୍ୟମ କରୁଥିବା ୭୮ଟି ୟୁଟ୍ୟୁବ୍ ଚ୍ୟାନେଲକୁ କେନ୍ଦ୍ର ସରକାର ବ୍ଲକ୍ କରିଛନ୍ତି ।