ସୁରକ୍ଷା ଏଜେନ୍ସୀରୁ ଅବସର ନେଇଥିବା ଅଧିକାରୀ ବିନା ଅନୁମତିରେ ତଥ୍ୟ ପ୍ରକାଶ କରିପାରିବେ ନାହିଁ

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହା ଅନୁସାରେ ଗୁଇନ୍ଦା ଓ ଅନ୍ୟ ସୁରକ୍ଷା ଏଜେନ୍ସୀରୁ ଅବସର ନେଇଥିବା ଅଧିକାରୀ ନିଜ ବିଭାଗ କିମ୍ବା ଅନ୍ୟକୌଣସି ଅଧିକାରୀଙ୍କ ବାବଦରେ ତଥ୍ୟ ବିନା ଅନୁମତିରେ ସାର୍ବଜନୀନ କରିପାରିବେ ନାହିଁ । କୌଣସି ମଧ୍ୟ ତଥ୍ୟ ସାର୍ବଜନୀନ କରିବା ପୂର୍ବରୁ ସେମାନଙ୍କୁ ବିଭାଗ ମୁଖ୍ୟଙ୍କ ଅନୁମତି ନେବାକୁ ପଡିବ । ଏନେଇ ୩୧ ମେ’ରେ କାର୍ମିକ,ଜନ ଅଭିଯୋଗ ଓ ପେନସନ୍ ମନ୍ତ୍ରଣାଳୟ ତରଫରୁ ଆଦେଶ ଜାରି କରାଯାଇଛି ।

ଗୁଇନ୍ଦା ଓ ସୁରକ୍ଷା ଏଜେନ୍ସୀ ସହିତ ଜଡିତ ଥିବା ଅବସରପ୍ରାପ୍ତ ଅଧିକାରୀ ନିଜ ବିଭାଗ,ବିଭାଗର କୌଣସି ଅଧିକାରୀ,ତାଙ୍କ ପଦ ସମ୍ପର୍କରେ କୌଣସି ତଥ୍ୟ ସେପର୍ଯ୍ୟନ୍ତ ସାର୍ବଜନୀନ କରିପାରିବେ ନାହିଁ ଯେପର୍ଯ୍ୟନ୍ତ ଏଥିପାଇଁ ତାଙ୍କୁ ଅନୁମତି ମିଳି ନାହିଁ । ବିଭାଗରେ କାର୍ଯ୍ୟ କରୁଥିବା ବେଳର ଅନୁଭବ ବର୍ଣ୍ଣନା ପାଇଁ ମଧ୍ୟ ତାଙ୍କୁ ଅନୁମତି ନେବାକୁ ପଡିବ ।

ଦେଶର ସୁରକ୍ଷା,ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥିବା ସୂଚନା କୌଣସି ଅବସରପ୍ରାପ୍ତ ଅଧିକାରୀ ଦେଇ ପାରିବେ ନାହିଁ । ଏହାବ୍ୟତିତ କୂଟନିତୀ,ବୈଜ୍ଞାନିକ କିମ୍ବା ଆର୍ଥିକ ହିତ ସହିତ ସମ୍ପର୍କ ରଖିଥିବା କୌଣସି ସୂଚନା ସାର୍ବଜନୀନ କରିବା ପୂର୍ବରୁ ମଧ୍ୟ ଅନୁମତି ନେବାକୁ ପଡିବ । ଅନ୍ୟ ଦେଶ ସହିତ ଭାରତର ସମ୍ପର୍କ ସମ୍ବନ୍ଧିତ ସୂଚନା ମଧ୍ୟ ଏହା ଭିତରେ ଆସୁଛି।

ବିଭାଗର ମୁଖ୍ୟ ହିଁ ନିଷ୍ପତ୍ତି ନେଇ ପାରିବେ ଯେ, ଯେଉଁ ସୂଚନା ପାଇଁ ଅନୁମତି ମଗାଯାଉଛି ତାହା ଦେଶ ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ କି ନୁହେଁ ।
ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ।

ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରିଟାୟରମେଣ୍ଟ୍ ନେଉଥିବା ବେଳେ ଅଧିକାରୀଙ୍କଠାରୁ ଏକ ଶପଥପତ୍ରରେ ଦସ୍ତଖତ ନିଆଯିବ । ଯେଉଁଥିରେ ଅଧିକାରୀ ବଚନ ଦେବେ ଯେ, ତାଙ୍କ କାର୍ଯ୍ୟକାଳ ବେଳେ ସେ ଯେଉଁ ସବୁ ସୂଚନା ପାଇଛନ୍ତି ତାକୁ ବିନା ଅନୁମତିରେ ସାର୍ବଜନୀନ କରିବେ ନାହିଁ । ଯଦି ସେ ଆଇନ୍ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ପେନସନ୍ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରାଯିବ ।

Leave a Reply