ବ୍ୟାନ୍ ହେଲା ୩୫ ହ୍ୱାଟ୍ସଆପ୍ ଗ୍ରୁପ, ଅଗ୍ନିପଥ ଯୋଜନାକୁ ନେଇ କରୁଥିଲେ ମିଛ ପ୍ରଚାର

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ବିରୋଧରେ ଦେଶରେ କୁହୁଳିଥିବା ବିବାଦକୁ ନେଇ ବେଶ ପ୍ରଯତ୍ନ କେନ୍ଦ୍ର ସରକାର  । ଯୋଜନା ବିରୋଧରେ ମିଥ୍ୟା ସୂଚନା ଦେଉଥିବା ସୋସିଆଲ ମିଡିଆ ଗ୍ରୁପକୁ ଟାର୍ଗେଟରେ ରଖିଛନ୍ତି ଭାରତ ସରକାର  । ଯେଉଁଥିପାଇଁ ରବିବାର ୩୫ଟି ହ୍ୱାଟ୍ସଆପ ଗ୍ରୁପକୁ ବ୍ୟାନ କରାଯାଇଛି  ।  ବର୍ତ୍ତମାନ ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିବାଦ ଜୋର ଧରିଛି । ଦେଶର ବିଭିନ୍ନ ସ୍ଥାନରେ ଯୋଜନାକୁ ବିରୋଧ କରାଯିବା ସହ ହିଂସା ମଧ୍ୟ ପରିଲକ୍ଷିତ ହୋଇଛି । ହିଂସାକୁ ରୋକିବା ପାଇଁ କେନ୍ଦ୍ର ସରକାର ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି । ହେଲେ କିଛି ସୁଫଳ ମିଳିନାହିଁ ।

ଯୋଜନାକୁ ନେଇ ମିଛ ପ୍ରଚାର କରୁଥିବା ୩୫ ଟି ହ୍ୱାଟ୍ସଆପ ଗ୍ରୁପକୁ ଆଜି କେନ୍ଦ୍ର ସରକାର ନିଷେଧ କରିଛନ୍ତି । ସରକାରଙ୍କ ଯୋଜନା ସମ୍ବନ୍ଧରେ ସାମାଜିକ ଗଣମାଧ୍ୟମରେ ମିଛ ପ୍ରଚାର କରାଯାଇ ଯୁବକମାନଙ୍କୁ ଉତ୍ତେଜିତ କରାଯାଇ ପଥଭ୍ରଷ୍ଟ କରାଯାଉଛି ।  ଯେଉଁ କାରଣ ଯୋଗୁଁ ଅନେକ ସ୍ଥାନରେ ହିଂସା କାଣ୍ଡ ଘଟୁଥିବା ଦେଖିବାକୁ ମିଳିଛି  । ବିହାରରୁ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗରୁ ଓଡ଼ିଶା ସବୁଠି ପୋଡାଜଳା ଏବଂ ଆନ୍ଦୋଳନ ର ଆଭାସ  । ସବୁଠୁ ବଡ଼ କଥା ହେଉଛି ଯୋଜନା ବିଷୟରେ ସବିଶେଷ ସୂଚନା ନପାଇ ମଧ୍ୟ କିଛି ଯୁବକ ହିଂସା କାଣ୍ଡକୁ ଆପଣେଇ ନେଇଛନ୍ତି  । ଯାହା ଫଳରେ ଅନେକ ସ୍ଥାନରେ ଟ୍ରେନ ପୋଡି ଭଳି ଘଟଣା  ମଧ୍ୟ ଦେଖିବାକୁ ମିଳିଛି  ।

ଏହି କାରଣରୁ ହ୍ୱାଟ୍ସଆପ ଗ୍ରୁପ୍ ବ୍ୟାନ୍ କରିଛି କେନ୍ଦ୍ର । ସୂଚନା ଥାଉକି କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଘୋଷଣା କରିବା ପରଠୁ ଏହାକୁ ପ୍ରତ୍ୟାହାର ଦାବିରେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଉଛି ।