ବିଧାନସଭାରେ କେନ୍ଦ୍ରର କୃଷି ଆଇନ ନେଇ ଝଡ଼, ସଂକଳ୍ପ ମାଧ୍ୟମରେ ଆଲୋଚନା ପାଇଁ ଦାବି

ଭୁବନେଶ୍ୱର: ବିଧାନସଭାରେ କେନ୍ଦ୍ରର କୃଷି ଆଇନ ନେଇ ଝଡ଼। କେନ୍ଦ୍ର ଉପରେ ବର୍ଷିଲେ ନରସିଂହ। ସଂକଳ୍ପ ମାଧ୍ୟମରେ ଆଲୋଚନା ପାଇଁ ଦାବି। କୃଷି ଆଇନ ସପକ୍ଷରେ ଯୁକ୍ତି ବାଢ଼ିଲା ବିଜେପି। କେନ୍ଦ୍ରର କୃଷି ଆଇନ ବିରୋଧରେ ବିଧାନସଭାରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ତୁରନ୍ତ ଗୃହରେ ଏହା ଉପରେ ସଂକଳ୍ପ ଅଣାଯାଇ ଆଲୋଚନା କରିବାକୁ ନରସିଂହଙ୍କ ସମେତ କଂଗ୍ରେସ ଟିମ୍ ଦାବି କରିଛନ୍ତି। ଦେଶରେ ତିନିମାସରୁ ଅଧିକ ସମୟ ଧରି କେନ୍ଦ୍ରର କୃଷି ଆଇନ ବିରୋଧରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି।
ଅନେକ ରାଜ୍ୟ ଏହି ଆଇନକୁ ଲାଗୁ କରିନାହାନ୍ତି। ଓଡ଼ିଶାରେ ମଧ୍ୟ କେନ୍ଦ୍ରର ଏହି ତିନି କଳା ଆଇନକୁ ଲାଗୁ ନକରିବା ପାଇଁ ଦାବି କରିଛନ୍ତି ନରସିଂହ। ଏଥିପାଇଁ ଏକ ସଂକଳ୍ପ ଆଣିବା ପାଇଁ ବାଚସ୍ପତିଙ୍କୁ ଦାବିପତ୍ର ଦେଇଛନ୍ତି। ତେବେ କଂଗ୍ରେସ ବିଧାୟକ ଏହି ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ କରିବାରୁ ବାଚସ୍ପତି ଆସନ୍ତାକାଲି ଏହି ପ୍ରସଙ୍ଗ କାର୍ଯ୍ୟ ପରାମର୍ଶଦାତା କମିଟିରେ ଆଲୋଚନା କରାଯିବ ବୋଲି ରୁଲିଂ ଦେଇଥିଲେ। ଏହାସହ ଆସନ୍ତା ୫ତାରିଖ ଦିନ ପ୍ରାଇଭେଟ ମେମ୍ବର ଦିବସରେ ଆଲୋଚନା କରାଯିବ।
କୃଷି ଆଇନ ନେଇ ନରସିଂହ ପ୍ରଶ୍ନ ଉଠାଇବା ପରେ କେନ୍ଦ୍ର ପାଇଁ ଓକିଲାତି କରିଛି ରାଜ୍ୟ ବିଜେପି। ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି, କେନ୍ଦ୍ରୀୟ ଆଇନକୁ ଆମେ ସମର୍ଥନ କରିବା ଦରକାର। ଏହି ଆଇନ ବିରୋଧରେ ଓଡ଼ିଶାରେ ଚାଷୀ ଆନ୍ଦୋଳନ କରୁନାହାନ୍ତି ବୋଲି ସେ ଯୁକ୍ତି ବାଢିଥିଲେ। ସେପଟେ ବିଜେଡି କହିଛି, ସଂକଳ୍ପ ପାଇଁ କଂଗ୍ରେସ ନୋଟିସ ଦେଇଛି। କୃଷି ଆଇନକୁ ଚାଷୀ ବିରୋଧ କରୁଛନ୍ତି। ତେବେ ଆଇନରେ ପରିବର୍ତ୍ତନ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ବ ବୋଲି ବିଜେଡି କହିଛି।
କୃଷି ଆଇନ ବିରୋଧରେ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଗଠନ। ଆଉ ବିଧାନସଭାର ଶୂନ୍ୟକାଳରେ ଏ ଆଇନକୁ ନେଇ ଗୃହରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି।