ବନ୍ୟା ଗଲା ପରେ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍: ପାଣି ଛାଡିଲା ପରେ କ’ଣ ଦେଖିବେ ? ପ୍ରକୃତ କ୍ଷୟକ୍ଷତି ଆକଳନ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର । ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ସାମାଜିକ ଏବଂ ଅର୍ଥନୈତିକ ଜୀବନକୁ ଗଭୀର ପ୍ରଭାବିତ କରିଥାଏ । ୧୯୯୯ ମସିହା ମହାବାତ୍ୟା ରାଜ୍ୟର ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ଦୁଇ ଦଶନ୍ଧି ହେବ ଏକ ସ୍ଥିର ସରକାର ଦେଇ ଆସିଛି । ତେବେ ବନ୍ୟା,ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ କାଳରେ ରାଜ୍ୟକୁ ଯେଉଁଭଳି ସାହାଯ୍ୟ କେନ୍ଦ୍ର ଦେବା କଥା ସେମିତି ସାହାଯ୍ୟ ନମିଳିବା ନେଇ ଅନେକ ସମୟରେ ଅଭିଯୋଗ ହୁଏ । ନିକଟରେ ଓଡ଼ିଶାରେ ବନ୍ୟା ଆସିଥିଲା । ତେବେ କ୍ଷୟକ୍ଷତି ଆକଳନ ପାଇଁ ଆଜି ଓଡ଼ିଶାରେ ପହଂଚିଛନ୍ତି କେନ୍ଦ୍ରିୟ ଟିମ୍ । କେନ୍ଦ୍ରିୟ ଟିମ୍ ଏବେ ପହଂଚିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଲୋକଙ୍କ କହିବା ହେଉଛି ଅନେକ ଅଂଚଳରୁ ବନ୍ୟା ପାଣି ଛାଡି ଗଲାଣି । ଲୋକ ନିଜ ଉଜୁଡା ସଂସାର ସାଉଁଟୁଛନ୍ତି,ଏମିତିରେ ବିଳମ୍ବରେ ଆସି କେନ୍ଦ୍ରୀୟ ଦଳ କ’ଣ ଦେଖିବେ ? କେମିତି ଜାଣିବେ ପ୍ରକୃତ କ୍ଷତି କେତେ ?

 ଉପକୂଳ ଓଡ଼ିଶାର କଟକ ଜିଲା, କେନ୍ଦ୍ରାପଡା, ଯାଜପୁର,ଭଦ୍ରକର ତଳିଆ ଅଞ୍ଚଳ, ମୟୂରଭଞ୍ଜ ଇତ୍ୟାଦି ଜିଲା ବହୁଳ ଭାବେ ପ୍ରଭାବିତ ହୋଇଥିଲା । ବିଗତ ଦିନରେ ଆସିଥିବା ବନ୍ୟା ଏବଂ ଚଳିତ ବର୍ଷ ବନ୍ୟାର ଅନେକ କିଛି ତଫାତ ରହିଥିଲା । ବିଶ୍ୱ ମହାମାରୀ ପାଲଟିଥିବା କୋଭିଡ ମୁକାବିଲା ସ୍ୱରୂପ ସାମାଜିକ ଦୂରତାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଥିଲା । ହେଲେ ବନ୍ୟାରେ ରିଲିଫ ବଣ୍ଟନ, ଲୋକଙ୍କୁ ଉଦ୍ଧାର ଇତ୍ୟାଦି ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ରହିଥିଲା । ବନ୍ୟା ବିପତ୍ତିର ଭୟାଭୟତା ସହ ମୃତାହତଙ୍କ ସଂଖ୍ୟା ତୁଳନା କଲେ ଏହା ଅତ୍ୟନ୍ତ ନଗଣ୍ୟ ମନେ ହୁଏ । ବନ୍ୟାର କରାଳ ରୂପ କିପରି ଥିଲା , ତାହା ଦୁଇ ସପ୍ତାହ ପୂର୍ବେ ଲୋକେ ଅଙ୍ଗେ ନିଭାଇଛନ୍ତି । ଅଧିକାଂଶ ଅଞ୍ଚଳରୁ ବନ୍ୟା ପାଣି ଛାଡି ଗଲାଣି । ସାଧାରଣ ଜନତା ନିଜ ନିଜ ପଡାକୁ ଫେରିଲେଣି । କିଛିଦିନ ପୂର୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ପ୍ୟାକେଜ୍ ମଧ୍ୟ ଘୋଷଣା କରାଯାଇଛି । ବନ୍ୟାର ଭୟାଭୟତା କମି ସାରିବା ପରେ ବୁଧବାର କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସି ୨ ଭାଗରେ ବିଭକ୍ତ ହୋଇ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିଛନ୍ତି । ହେଲେ ଏହି ଗସ୍ତ ବିଳମ୍ବିତ ହୋଇଥିବା କେତେକ ବର୍ଗରୁ ଅଭିଯୋଗ ହୋଇଛି ।

ଓଡ଼ିଶା ସମେତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ,ଛତିଶଗଡ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ରାଜ୍ୟ ପ୍ରଭାବିତ ହୋଇଥିଲା । ତେଣୁ ଗଣତାନ୍ତ୍ରିକ ସଂଘୀୟ ବ୍ୟବସ୍ଥାରେ ସମସ୍ତ ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ଗସ୍ତ କରିବା ସହ ଅନୁଦାନ ଘୋଷଣା କରିବାର ବିଧି ରହିଛି । ହେଲେ ଓଡ଼ିଶାକୁ କେନ୍ଦ୍ରୀୟ ଟିମ୍ ବିଳମ୍ବରେ ଆସିଥିବା ସରକାରୀ ତଥ୍ୟରୁ ସ୍ପଷ୍ଟ ହୋଇଛି । ୫ ଦିନ ପୂର୍ବେ ଅର୍ଥାତ ଚଳିତ ମାସ ୧୧ରେ କେନ୍ଦ୍ରୀୟ ଟିମ୍ ର ଏକ ପ୍ରତିନିଧି ଦଳ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳ ଗସ୍ତ କରିସାରିଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୧୦ ତାରିଖରେ କେନ୍ଦ୍ରୀୟ ଟିମ୍ ମଧ୍ୟ ପ୍ରଦେଶ ଗ୍ରସ୍ତ କରିସାରିଥିଲା । ସେହି ହିସାବରେ ଦେଖିଲେ ଓଡ଼ିଶାକୁ କେନ୍ଦ୍ରୀୟ ଟିମ୍ ପ୍ରାୟ ସପ୍ତାହେ ବିଳମ୍ବରେ ଆସିଛି । ତେଣୁ କେନ୍ଦ୍ରୀୟ ଟିମ୍ କେତେମାତ୍ରାରେ କ୍ଷୟକ୍ଷତିର ସଠିକ୍ ଆକଳନ କରିପାରିବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply