ବାତ୍ୟାଞ୍ଚଳ ପରିଦର୍ଶନରେ ୭ ଜଣିଆ କେନ୍ଦ୍ରୀୟ ଟିମ୍: ୨ ଦିନ ଧରି ବୁଲି ଦେଖିବେ କ୍ଷୟକ୍ଷତି

ଭୁବନେଶ୍ୱର: ଆଜିଠାରୁ ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି କେନ୍ଦ୍ରୀୟ ଟିମ୍ ।  ଗୋଟିଏ ଟିମ ବାଲେଶ୍ବର ଜିଲ୍ଲା ଏବଂ ଆଉ ଗୋଟିଏ ଟିମ ଭଦ୍ରକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ଆସନ୍ତାକାଲି ବାଲେଶ୍ବର ଟିମ ମୟୂରଭଞ୍ଜ ଯିବାକୁ ଥିବା ବେଳେ, ଭଦ୍ରକ ଟିମ କେନ୍ଦ୍ରାପଡା ବାତ୍ୟାଞ୍ଚଳ ବୁଲି ଦେଖିବେ । ଜିଲ୍ଲା ଗସ୍ତ ଯିବା ପୂର୍ବରୁ କେନ୍ଦ୍ରୀୟ ଟିମ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହ କ୍ଷୟକ୍ଷତି ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣାଲଙ୍କ ନେତୃତ୍ବରେ ଏହି ଟିମ୍ ଓଡ଼ିଶା ଆସିଛି । ଏହି କେନ୍ଦ୍ରୀୟ ଦଳରେ 7 ଜଣ ସଦସ୍ୟ ରହିଛନ୍ତି । ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ବାତ୍ୟା ୟାସ ଦ୍ବାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା 4 ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଗସ୍ତ କରିବ ଏହି ଟିମ । ଦୁଇ ଟିମରେ ବିଭକ୍ତ ହୋଇ 4 ଜିଲ୍ଲା ଗସ୍ତ କରିବ ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ । 2 ଦିନର ଅନୁଧ୍ୟାନ ପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହ ଟିମ ଆଲୋଚନା ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବାତ୍ୟାଞ୍ଚଳ ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳୀ ସହ ସମୀକ୍ଷା ବୈଠକ କରିଥିଲେ । ଦିଲ୍ଲୀ ଫେରି ଓଡ଼ିଶାକୁ 5 ଶହ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ । କେନ୍ଦ୍ରୀୟ ଟିମ ସମୀକ୍ଷା କରିବା ପରେ ବାକି ସହାୟତା ଅର୍ଥ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ଦୀର୍ଘ ସ୍ଥାୟୀ ଯୋଜନା କରିବା ଲାଗି କେନ୍ଦ୍ର ନିକଟରେ ଦାବି ରଖିଛି ରାଜ୍ୟ । ଅନ୍ୟପଟେ ୟାସ୍ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ପ୍ରାୟ 610 କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ବଢ଼ିବ କାଳବୈଶାଖୀ ବର୍ଷା: ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର

Leave a Reply