କେନ୍ଦ୍ରୀୟ ଅବହେଳା: ଜବାବ ମାଗିବେ ସାଢ଼େ ୪ କୋଟି ଓଡ଼ିଆ

ଭୁବନେଶ୍ବର: ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳୁନି । କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ ହେଉନି । ରେଳଠାରୁ ଆରମ୍ଭ କରି କୋଇଲା ଉପରେ ସେସ୍ ଆଦାୟ ହକକୁ କେନ୍ଦ୍ର ଦେଉନି । କେନ୍ଦ୍ର ଅବହେଳା ନେଇ ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସଂକଳ୍ପ ପାରିତ ପରେ ସ୍ବର ଶାଣିତ କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଲଢି ଆସୁଛନ୍ତି । ଏହା କୌଣସି ନିର୍ବାଚନକୁ ଆଖିରେ ରଖି କରାଯାଉନି । ହକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଜାରି ରହିଛି । ସାଢ଼େ ୪ କୋଟି ଓଡ଼ିଆ ଯେପରି କେନ୍ଦ୍ରକୁ ଏହାର ଜବାବ ମାଗିବେ ଦଳ ସେ ନେଇ ଲୋକଙ୍କୁ ଅବଗତ କରିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ । ଗରିବଙ୍କ ପେଟକୁ ଦାନା, ମୁଣ୍ଡ ଉପରେ ଛାତ । କେନ୍ଦ୍ର କିନ୍ତୁ ଗରିବଙ୍କ ପେଟକୁ ଲାତ ମାରି ଚାଲିଛି । ହୀରା ଉପରେ ଜିଏସଟି ୫ ପ୍ରତିଶତ । ଅଥଚ କେନ୍ଦୁପତ୍ର ଉପରେ ଜିଏସଟି ୧୮ ପ୍ରତିଶତ । ୧୦ ଲକ୍ଷ ପରିବାରର ପେଟକୁ ଅନଉନି କେନ୍ଦ୍ର ସରକାର । ମୁଖ୍ୟମନ୍ତ୍ରୀ ଓ ବିଜେଡି ଲଗାତାର ଦାବି କରିଆସୁଥିଲେ ବି କେନ୍ଦ୍ର ଶୁଣୁନି । ଏଣିକି ଜିଏସଟି ଛାଡ଼ ନ ହେବା ଯାଏଁ କେନ୍ଦ୍ର ବିରୋଧରେ ବିଜେଡି ନିର୍ଣ୍ଣାୟକ ଲଢେଇ କରିବ । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ପ୍ରଗତି କରୁଛି । ଖୋଦ ନୀତି ଆୟୋଗ ଓଡ଼ିଶା ମଡେଲକୁ ଆପଣାଇବାକୁ ଅନ୍ୟ ରାଜ୍ୟକୁ ଉଦାହରଣ ଦେଉଛନ୍ତି । ତଥାପି ଲଗାତାର ଭାବେ କେନ୍ଦ୍ର ଓଡ଼ିଶାର ସ୍ବତନ୍ତ୍ର ପାହ୍ୟା କିମ୍ବା ସ୍ବତନ୍ତ୍ର ଷ୍ଟାଟସ୍ ଦାବିକୁ ଅଣଦେଖା କରିଚାଲିଛି । ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ସଂକଳ୍ପ ଅନୁଯାୟୀ ଏହା ବିଜେଡିର ଦାବି ନୁହେଁ । ସାଢ଼େ ୪ କୋଟି ଓଡ଼ିଆଙ୍କ ଯେପରି ଦାବି କରିବେ ସେ ନେଇ ଲୋକଙ୍କୁ ସଚେତନ କରିବ ଦଳ । ସଂଘୀୟ ବ୍ୟବସ୍ଥାକୁ ସର୍ବଦା କେନ୍ଦ୍ର କୁଠାରଘାତ କରିଆସୁଛି । ଓଡ଼ିଶାର ନ୍ୟାଯ୍ୟ ଦାବିକୁ କେନ୍ଦ୍ର ଅଣଦେଖା କରିଚାଲିଛି । ୨୦୨୪ ନିର୍ବାଚନକୁ ଆଖିରେ ରଖି ନୁହେଁ, ଜନନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ଏହି ଦାବି କରି ଆସୁଛନ୍ତି ।

ଯାହା ପୂର୍ବରୁ କୌଣସି ସରକାର କରି ନଥିଲେ କେନ୍ଦୁପତ୍ର ତୋଳାଳିଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ କରିଛନ୍ତି । କେନ୍ଦୁପତ୍ର ବିକ୍ରି ଲାଭାଂଶକୁ ସରକାର ରାଜସ୍ବ ଭାବେ ଗ୍ରହଣ ନ କରି ତୋଳାଳି ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରିଆସୁଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ କରିଥିବା ପ୍ରତ୍ୟେକ ଯୋଜନା ସେମାନଙ୍କ ପାଖରେ ପହଞ୍ଚି ପାରିଛି । ବର୍ଷକୁ ଦୁଇଥର ସେମାନଙ୍କୁ ବୋନସ୍ ଓ ଆର୍ଥିକ ସହାୟତା ମିଳୁଛି । ଫଳରେ ୧୫ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ ସିଜନାଲ କର୍ମଚାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇଛନ୍ତି । ସେମାନଙ୍କର ୧ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଅଥଚ ଜିଏସଟି ଛାଡ଼ ନକରି କେନ୍ଦ୍ର ଲଗାତାର ଅବହେଳା କରିଚାଲିଛି । ଯଦି କେନ୍ଦ୍ର ସରକାର କେନ୍ଦୁପତ୍ର ଜିଏସଟି ସମ୍ପୂର୍ଣ୍ଣ ଛାଡ଼ କରିବାକୁ ନିଷ୍ପତ୍ତି ନ ନିଅନ୍ତି, ତା’ହେଲେ ଆଗାମୀ ସାଧାରଣ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବେ ବୋଲି ଚେତାବନୀ ଦେଇଛି ତୋଳାଳି ଓ କର୍ମଚାରୀ ମହାସଂଘ ।

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ୨୦୧୩ରେ ଦିଲ୍ଲୀରେ ବିକ୍ଷୋଭ କରିଥିଲା ବିଜେଡି । ଏବେ ରାଜ୍ୟସ୍ବାର୍ଥ ପ୍ରସଙ୍ଗରେ ନିର୍ଣ୍ଣାୟକ ସ୍ଥିତି ପର୍ଯ୍ୟନ୍ତ ଦଳ ସଂଗ୍ରାମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ।