ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ ଆଲୋଚନା: ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଓ ଅନୁଗୁଳରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ଦାବି

1 min read

ଭୁବନେଶ୍ୱର: ସୁନ୍ଦରଗଡ଼ରେ ଏମ୍ସ ସହ ଅନୁଗୁଳରେ ମେଡିକାଲ କଲେଜ ଓ ହସ୍ପିଟାଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ପୁଣି ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ସାକ୍ଷାତ କରିଥିଲେ । ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି କରିଛନ୍ତି । କ୍ଲିନ ଏନର୍ଜି ସେସର ୬୦ ପ୍ରତିଶତ ଭାଗ ଓଡ଼ିଶାକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ଏନଟିପିସି ଦ୍ବାରା ସୁନ୍ଦରଗଡ଼ରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ୧୦୦ ସିଟର ମେଡିକାଲ କଲେଜ ସ୍ଥାପନ ହୋଇଥିବା ବେଳେ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏନେଇ ରାଜ୍ୟ ସରକାର କେନ୍ଦ୍ରକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ ।

ସାରା ଦେଶକୁ ଖଣିଜ, ଲୁହା, ଷ୍ଟିଲ ପ୍ରଦାନ ଦିଗରେ ଅବଦାନକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଅନୁଗୁଳରେ ମଧ୍ୟ ଏମସିଏଲ ମେଡିକାଲ କଲେଜ ସ୍ଥାପନ ହୋଇଥିବା ବେଳେ ଏହା ପରିଚାଳନା ପ୍ରତି ଗୁରୁତ୍ବ ଦିଆଯାଉନାହିଁ । ଏଥିସହ କ୍ଲିନ ଏନର୍ଜି ସେସର ୬୦ ପ୍ରତିଶତ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାର ୪୦୦ ଟଙ୍କା ପ୍ରତି ଟନ୍ ହିସାବରେ କ୍ଲିନ ଏନର୍ଜି ସେସ୍ ସଂଗ୍ରହ କରୁଥିବା ବେଳେ ଏହାର ମୁଲ୍ୟ ୫୦ ହଜାର କୋଟି ଟଙ୍କାରୁ ଅଧିକ ହେବ । ଏଥିରୁ ୩୦ ହଜାର କୋଟି ରାଜ୍ୟକୁ ମିଳିଲେ ଖଣି ଅଞ୍ଚଳରେ ବିକାଶ ସହ ବିସ୍ଥାପିତ ଲୋକେ ଲାଭବାନ ହେବେ । ୨୦୨୦-୨୧ରେ ରାଜ୍ୟରେ ପ୍ରାୟ ୧୫୪ ମିଲିୟନ ଟନ କୋଇଲା ଉତ୍ପାଦନ ହୋଇଥିଲା । ଯାହା ସାରା ଦେଶର ଉତ୍ପାଦନର ୨୫ ପ୍ରତିଶତ ।

Leave a Reply