ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁରୋଧ । ଯଥା ସମ୍ଭବ ଓଡ଼ିଶାରେ ଏହାକୁ ଲାଗୁ କରାଯାଉ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ନ୍ଧନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ପୁର୍ବରୁ ମଧ୍ୟ ଥରେ ଏ ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଯାଇଥିଲା, ତେବେ ଆଉଥରେ ଅନୁରୋଧ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ଜୟନ୍ତୀ ଅବସରରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

 

ଭୁବନେଶ୍ୱର ଏମ୍ସ ପରିସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଯୋଗ ଦେଇ ଅଟଳଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ଏଥିସହ  ଏମ୍ସରେ ଆଇସିୟୁ , ଓ.ଟି ଓ କ୍ୟାଥ ଲ୍ୟାବର୍ ମଧ୍ୟ ଉଦଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ, ସାଂସଦ ଅନୁଭବ ମହାନ୍ତି, ସାଂସଦ ଅମର ପଟ୍ଟନାୟକ, ବିଧାୟକ ସୁର ରାଉତରାୟ, ଏମ୍ସ ଭୁବନେଶ୍ୱର ସଭାପତି ସୁବ୍ରତ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

୧.୫ ଲକ୍ଷ ୱେଲନେସ ସେଣ୍ଟର ସାରା ଭାରତରେ ନିର୍ମାଣ ହେବାକୁ ଯୋଜନା ରହିଛି। ଏପର୍ଯ୍ୟନ୍ତ ୨୫ ହଜାରଟି ସମ୍ପୂର୍ଣ୍ଣ ହୋଇଛି  । ମାର୍ଚ୍ଚ ୨୦ ସୁଦ୍ଧା ଆଉ ୪୦ହଜାର ୱେଲନେସ ସେଣ୍ଟର ତିଆରି ହେବ ।

 

ଡିସେମ୍ବର ୩୧, ୨୦୨୨ ସୁଦ୍ଧା  ୧.୫ ଲକ୍ଷ ୱେଲଫେୟାର ସେଣ୍ଟର କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ୧୫୭ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡ଼ିକାଲ କଲେଜରେ ପରିଣତ କରାଯାଇଛି । ଆଉ ୭୫ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡ଼ିକାଲ କଲେଜରେ ପରିଣତ ହେବ ବୋଲି ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।

ଅନ୍ୟପଟେ ଏହି ପ୍ରସଙ୍ଗରେ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ କଥାବାର୍ତ୍ତା ଚାଲିଛି । ରାଜ୍ୟ ସରକାରଙ୍କ ନିକଟରେ ମଧ୍ୟ ପୂର୍ବରୁ ଏକ ଯୋଜନା ରହିଛି । ଦୁଇଟା ଅଲଗା ଅଲଗା ସ୍କିମ । ଏହି ଦୁଇଟା ଯୋଜନାକୁ ସଂଯୋଗୀକରଣ କରିବା ସହଜ କଥା ନୁହେଁ। ଏହା ଉପରେ ଆଲୋଚନା ଚାଲିଛି ବୋଲି ମତ ରଖିଛନ୍ତି  ଅମର ପଟ୍ଟନାୟକ  ।

Leave a Reply