ପେଟ୍ରୋଲ ଡିଜେଲ ଦରକୁ ନେଇ କେନ୍ଦ୍ରର ନୂଆ ଫଣ୍ଡା, କମରେ କିଣ ଲାଭ ଦିଅ
1 min readଭୁବନେଶ୍ବର: କେବେ କମିବ ପେଟ୍ରୋଲ ଓ ଡିଜେଲ ଦର ? ଏନଡିଏର ୧୦ ବର୍ଷ ଶାସନରେ ୩ଟି ଯାକ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ପାଇଆସୁଛନ୍ତି ପ୍ରାୟ ୫୦ ହଜାରରୁ ୮୦ ହଜାର କୋଟି ନିଟ୍ ଲାଭ । ଅଶୋଧିତ ତୈଳ ଦର ମଧ୍ୟ ଲଗାତାର କମି ଚାଲିଛି । ଏବେ ବ୍ୟାରଲ ପିଛା ୭୧ ଡଲାର, ଆଗକୁ ଆହୁରି କମିବ । ହେଲେ ଲୋକେ କ’ଣ ପାଉଛନ୍ତି ? ଅପର୍ଯ୍ୟାପ୍ତ ଲାଭ ହେଉଥିବାରୁ ଘରୋଇ ତୈଳ ବିପଣନ କମ୍ପାନୀ ଡିଜେଲ ଲିଟର ପିଛା ଖୁଚୁରା ଓ ମୋଟା ଅଙ୍କରେ କିଣା ଉପରେ ୩ ଟଙ୍କାରୁ ୨୨ ଟଙ୍କା ରିହାତି ଦେଉଛନ୍ତି । ସେ କ୍ଷେତ୍ରରେ କାହିଁକି କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଦର କମାଉ ନାହାନ୍ତି ତାହା ସମସ୍ତଙ୍କୁ ଚିନ୍ତାଗ୍ରସ୍ତ କରିଛି ।
କମରେ କିଣ ବମ୍ପର ଲାଭ କର । ଦର କମାଅନି କି ଲୋକଙ୍କୁ ଶସ୍ତା ଦିଅନି । ବିଶ୍ବ ମାନ୍ଦାବସ୍ଥା ଓ ଯୁଦ୍ଧ ସ୍ଥିତିର ଗୋଲକ ଧନ୍ଦାକୁ ଲୋକଙ୍କ ଆଗରେ ଥୁଅ । ଯେତେ ପାରୁଛ କେନ୍ଦ୍ରକୁ ଲାଭାଂଶ ଦିଅ । ଏ ହେଉଛି ଏବେର କେନ୍ଦ୍ର ସରକାରଙ୍କ ଆର୍ଥିକ ବିକାଶ ଫର୍ମୁଲା ।
ଘରୋଇ ବିପଣନ କମ୍ପାନୀ ଦେବେ ରିହାତି । ହେଲେ ଲାଭ ଉପରେ ଡବଲ ଲାଭ କରି ଲୋକଙ୍କୁ କେତେଦିନ ଶୋଷି ଚାଲିଥିବେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ? ଲଗାତାର କମୁଛି ଅଶୋଧିତ ତୈଳ ଦର । ଆଜି ବ୍ୟାରେଲ ପିଛା ୭୧ ଡଲାର । ଯାହାକି ଋଷ-ୟୁକ୍ରେନ୍ ଯୁଦ୍ଧ ପୂର୍ବ ସ୍ଥିତି ଦର ସହ ସମାନ । ତଥାପି ପେଟ୍ରୋଲ ଲିଟର ୧୦୧ ଟଙ୍କା ୨୮ ଓ ଡିଜେଲ ୯୨ ଟଙ୍କା ୭୯ ପଇସା । ଏନଡିଏର ୧୦ ବର୍ଷରେ କେବଳ ଆଇଓସିଏଲର ନିଟ୍ ଲାଭ ହାରାହାରି ୧୮ ହଜାର ୯୫୫ କୋଟି । ସେହିପରି ୩ଟି ଯାକ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଙ୍କ ନିଟ ଲାଭ ହିସାବ କଲେ ବାର୍ଷିକ ପ୍ରାୟ ୫୦ ହଜାର କୋଟିରୁ ୮୦ ହଜାର କୋଟି ।
ଘରୋଇ ତୈଳ ବିପଣନ କମ୍ପାନୀ ନାୟେରା ୩୫ ହଜାର କିଲୋ ଲିଟର ଡିଜେଲ ପାଇଁ ନେଇଛି ୨୪ ଲକ୍ଷ ୭୫ ହଜାର ୩୫୪ ଟଙ୍କା । ହିସାବ କଲେ ଡିଜେଲ ଲିଟର ପଡ଼ିଲା ୭୦ ଟଙ୍କା ୭୨ ପଇସା । ଏବେ ଦେଖନ୍ତୁ ଖୁଚୁରା ଗ୍ରାହକଙ୍କ ପାଇଁ ରିଲାୟନ୍ସ ୩ ଟଙ୍କା ରିହାତି ଦେଉଥିବା ନେଇ ପମ୍ପ ଆଗରେ ବୋର୍ଡ ମାରିଛି । ଯଦି ଘରୋଇ ତୈଳ କମ୍ପାନୀ ରିହାତି ଦେଇପାରୁଛନ୍ତି ତା’ହେଲେ ରାଷ୍ଟ୍ରାୟତ୍ତ କମ୍ପାନୀ କାହିଁକି ପଇସାଟିଏ ଛାଡ଼ୁନାହାନ୍ତି ? କ’ଣ ବଜାର ଅଂଶ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଘରୋଇ କମ୍ପାନୀଙ୍କ ସହ ମଧୁଚନ୍ଦ୍ରିକା କରିଛନ୍ତି କି ?
ଖୁଚୁରା ଦର ଆଉ ବଢିବନି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଓ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ରାଜନୈତିକ ମନ୍ତବ୍ୟ ଦେଉଛନ୍ତି । ଅଶୋଧିତ ତୈଳ ଦର ତାଳ ଦେଇ ଖୁଚୁରା ଦର କମିବ ବଢିବ । ହେଲେ ୨୦୨୨ ଏପ୍ରିଲ ୬ରୁ ଡାଇନାମିକ ପ୍ରାଇସ ମେକାନିଜମକୁ ବନ୍ଦ କରିଦେଇଛନ୍ତି । ଚଳିତବର୍ଷର ଦ୍ବିତୀୟ ତ୍ରୟମାସିକରେ ଲାଭ କମ୍ ଓ କ୍ଷତି ହୋଇଥିବା ନେଇ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଘୋଷଣା କଲେ । ହେଲେ ବାସ୍ତବରେ ୧୦ ବର୍ଷର ବାଲାନସସିଟ ଦେଖିଲେ ଏହି କଥା ସହ ତାଳମେଳ ରହୁ ନଥିବା ଅଭିଯୋଗ ହୋଇଛି । ସମୟ ଆସିଛି କେନ୍ଦ୍ର ଓ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଲୋକଙ୍କୁ ମହଙ୍ଗା ମାଡ଼ରୁ ମୁକ୍ତି ଦେବା ପାଇଁ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର କମାଇବା ଦରକାର ।