ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ସ୍କିମ: ଏପ୍ରିଲ ପହିଲାରୁ ମିଳିବ ଖୁସିଖବର

1 min read

ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ଆସନ୍ତା ଏପ୍ରିଲ ପହିଲାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକୀକୃତ ପେନସନ ଯୋଜନା ଲାଗୁ ହେବ । କେନ୍ଦ୍ର ସରକାର ରାଷ୍ଟ୍ରୀୟ ପେନସନ ପ୍ରଣାଳୀ (NPS)ର ବିକଳ୍ପ ଭାବେ ଏକୀକୃତ ପେନସନ ଯୋଜନା (UPS) ଆରମ୍ଭ କରିଛନ୍ତି । UPS ସେହି କେନ୍ଦ୍ର କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ, ଯେଉଁମାନେ ପୂର୍ବରୁ NPSରେ ନାମାଙ୍କିତ ହୋଇଥିବେ ଓ ଏହି ନୂଆ ଯୋଜନାର ବିକଳ୍ପ ବାଛିଥିବେ ।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏନପିଏସ ଅଧୀନରେ ଯୋଗ୍ୟ ହେଉଥିବା କେନ୍ଦ୍ରୀୟ ସରକାର କର୍ମଚାରୀମାନଙ୍କ ନିକଟରେ ଏବେ ଏନପିଏସ ଷ୍ଟ୍ରକଚର ମଧ୍ୟରେ ୟୁପିଏସକୁ ସ୍ବିଚ କରିବାର ବିକଳ୍ପ ରହିବ । ଅବସରପ୍ରାପ୍ତ ବ୍ୟକ୍ତି ଏବେ ଅବସର ପୂର୍ବରୁ ୧୨ ମାସରେ ସେମାନଙ୍କ ଆଭରେଜ ମୂଳ ବେତନର ୫୦ ପ୍ରତିଶତ ପେନସନ ଭାବେ ପାଇ ପାରିବେ । ତେବେ ସେଥିପାଇଁ ସେମାନଙ୍କୁ ୨୫ ବର୍ଷର ସର୍ବନିମ୍ନ ସେବା କରିବାର ଆବଶ୍ୟକ । ଏଥିସହିତ ସରକାର ନିଜର ଅଂଶୀଦାର ୧୪ ପ୍ରତିଶତରୁ ବୃଦ୍ଧି କରି ୧୮.୫ ପ୍ରତିଶତ କରୁଛନ୍ତି । କୌଣସି ପେନସନଧାରୀଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁ ସ୍ଥିତିରେ, କର୍ମଚାରୀଙ୍କୁ ମିଳିବାକୁ ଥିବା ପେନସନର ୬୦ ପ୍ରତିଶତ ତାଙ୍କର ପରିବାରଙ୍କୁ ପ୍ରାପ୍ତ ହେବ ।