କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ କୌଣସି ପ୍ରୟାସ ଛାଡ଼ିବନି: ପ୍ରଧାନମନ୍ତ୍ରୀ

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ସମ୍ବଲପୁର ଗସ୍ତରେ ଆସି ରେମେଡରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଜୟ ଜଗନ୍ନାଥ, ଜୟ ମା’ ସମଲେଇ କହି ଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ସମ୍ବଲପୁରୀ ଭାଷାରେ ଜଣାଇଥିଲେ ଶୁଭେଚ୍ଛା । ଉଦବୋଧନ ଆରମ୍ଭରୁ ଓଡ଼ିଶାର ୪ ପଦ୍ମ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏଲ.ଏକ. ଆଡଭାନୀଙ୍କୁ ଭାରତରତ୍ନ ଦିଆଯିବା ନେଇ ଘୋଷଣା ହୋଇଥିବାରୁ ଆଜି ଗର୍ବ, ଗୌରବର ଦିନ ବୋଲି କହିଥିଲେ । ଏହି ଅବସରରେ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ କୌଣସି ବି ପ୍ରୟାସ ଛାଡ଼ିବନି ବୋଲି ଦେଇଛନ୍ତି ପ୍ରତିଶ୍ରୁତି ।

ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏଥର ବଜେଟରେ ଗରିବଙ୍କୁ ସଶକ୍ତ କରିବାର ଗ୍ୟାରେଣ୍ଟି ଅଣାଯାଇଛି । କ୍ଷୁଦ୍ର ଚାଷୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ବିକାଶ ପାଇଁ ଗ୍ୟାରେଣ୍ଟି ଦେଉଛନ୍ତି କେନ୍ଦ୍ର ସରକାର । ମୋଦିଙ୍କ ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାର ୨୫ ଲକ୍ଷ ଲାଭାର୍ଥୀ ପକ୍କା ଘର ପାଇଛନ୍ତି । ଏଥର ବଜେଟରେ ଗରିବଙ୍କ ପାଇଁ ଆଉ ୨ କୋଟି ଘର ତିଆରି ଘୋଷଣା ହୋଇଛି । କୌଣସି ଗରିବ ଭାଇଭଉଣୀ କଚ୍ଚା ଘରେ ରହିବେନି । ଗରିବଙ୍କୁ ଲାଭ ମିଳିବା କେନ୍ଦ୍ର ସରକାରର ପ୍ରାଥମିକତା । ପିଏମ୍ କିଷାନରେ ଓଡ଼ିଶାର ୪୦ ଲକ୍ଷ ଚାଷୀଙ୍କୁ ଲାଭ ମିଳୁଛି । ପ୍ରତି ଚାଷୀଙ୍କ ଖାତାକୁ ସରକାର ୩୦ ହଜାର ଟଙ୍କା ପଠାଯାଉଛି ।’

ଆଗକୁ ସେ କହିଥିଲେ, ‘ପୂର୍ବ ସରକାର ଓଡ଼ିଶାରୁ ୩୬ ହଜାର କୋଟିର ଧାନ କିଣିଥିଲେ । ଏବେ କେନ୍ଦ୍ର ସରକାର ଓଡ଼ିଶାରୁ ୧ ଲକ୍ଷ ୧୦ ହଜାର କୋଟିର ଧାନ କିଣିଛନ୍ତି । ସରକାର ଲଗାତାର ଲୋକଙ୍କ ସୁବିଧା ପାଇଁ କାମ କରୁଛି । ରୋଜଗାର ବଢ଼ିବା ସହ ଖର୍ଚ୍ଚ କମାଇବା ଉପରେ ପ୍ରାଥମିକତା ଦିଆଯାଉଛି । ଦେଶବାସୀଙ୍କ ବିଜୁଳି ବିଲ୍ ଶୂନ ହେବା ଆମର ଲକ୍ଷ୍ୟ । ରୁଫ୍ଟପ୍ ସୋଲାର ଯୋଜନାରେ ରୋଜଗାର ସମ୍ଭାବନା ବଢ଼ିବ । ଓଡ଼ିଶା ସୂର୍ଯ୍ୟ ଭଗବାନଙ୍କ ରାଜ୍ୟ, ଏଠି ସୋଲାର ଚମକିବ । ଏଥିସହ ଆଶା, ଅଙ୍ଗନବାଡ଼ି କର୍ମୀ ଆୟୁଷ୍ମାନ ଭାରତରେ ସାମିଲ ହେବେ । ଓଡ଼ିଶାର ୬୦ ଲକ୍ଷ ପରିବାରକୁ ପାଇପ ପାଣି ଯୋଗାଣ ହେଉଛି । ଭଉଣୀଙ୍କୁ ଲକ୍ଷପତି ଦିଦି ହେବାର ଗ୍ୟାରେଣ୍ଟି ଦେଇଛନ୍ତି କେନ୍ଦ୍ର ସରକାର । ୧ କୋଟି ଲକ୍ଷପତି ଦିଦି ସୃଷ୍ଟି ହେଲେଣି, ୩ କୋଟି ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ହଜାର ହଜାର ଏସ୍ଏଚଜି ମହିଳାଙ୍କୁ ଲାଭ ମିଳିବାକୁ ଯାଉଛି । ଏବେ ଯୁବକଙ୍କ ପଛରେ ବିଶ୍ବସ୍ତ ବିଜେପି ସରକାର ଛିଡ଼ା ହୋଇଛି । ଆଜିର ଯୁବକଙ୍କୁ ଋଣ ନେବାକୁ କୌଣସି ଗ୍ୟାରେଣ୍ଟି ଦେବାକୁ ପଡୁନି । କାରଣ ଆଜିର ଯୁବକଙ୍କ ପଛରେ ମୋଦିଙ୍କ ଗ୍ୟାରେଣ୍ଟି ରହିଛି । ଯାହା ପାଖରେ କାହାର ସାହାରା ନାହିଁ, ତା’ ପାଖରେ ମୋଦିର ଗ୍ୟାରେଣ୍ଟି ଅଛି ।’

ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ବିଜେପି ଓଡ଼ିଶା ଝିଅଙ୍କୁ ରାଷ୍ଟ୍ରପତି କରିଛି । ଯେଉଁମାନେ ଦ୍ରୌପଦୀ ମୁର୍ମୁଙ୍କୁ ଅପମାନିତ କରିଛନ୍ତି, ସେମାନେ ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି । ଓଡ଼ିଶାର ସାଢ଼େ ୩ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି । ଏକ ଦେଶ, ଏକ ରାସନ କାର୍ଡ ଜରିଆରେ ସବୁଠି ରାସନ ମିଳୁଛି । ନୂଆ ଭାରତର ନିର୍ମାଣ ବିଜେପି ସରକାରର ବଡ଼ ପରିଚୟ । ଭିତ୍ତିଭୂମି ବିକାଶ ପାଇଁ ବଜେଟରେ ୧୧ ଲକ୍ଷ କୋଟିର ବ୍ୟବସ୍ଥା ଅଛି ବୋଲି କହିଛନ୍ତି । କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ‘ଦିଲ୍ଲୀରେ କଂଗ୍ରେସ ସରକାର ବେଳେ ଓଡ଼ିଶାକୁ ତାର ହକ୍ ମିଳୁ ନଥିଲା । ଏବେ ଓଡ଼ିଶାର ବିକାଶ ପାଇଁ କୌଣସି ଅର୍ଥ ଅଭାବ ନାହିଁ । ପୂର୍ବ ସରକାର ଓଡ଼ିଶାର ଗରିବୀକୁ ନେଇ ପ୍ରଚାର କରୁଥିଲା ଏବେ ସରକାର ଓଡ଼ିଶାର ବିକାଶ ପାଇଁ ଅହରହ ଉଦ୍ୟମ କରୁଛି ।’