କୋଇଲା ରୟାଲଟି ବଢ଼ାଇବାକୁ କେନ୍ଦ୍ରର ‘ନା’

ନୂଆଦିଲ୍ଲୀ: ବଢିବ ନାହିଁ କୋଇଲା ରୟାଲଟି । ସ୍ପଷ୍ଟ କଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କ୍ରିଷ୍ଣା ରେଡ୍ଡୀ । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଓଡିଶା ପରି କୋଇଲା ଉତ୍ପାଦନକାରୀ ରାଜ୍ୟମାନେ ରୟାଲଟି ହାର ୧୪ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି । ସେପଟେ କୋଇଲା ଉପରେ ନିର୍ଭରଶୀଳ ରାଜ୍ୟମାନେ ରୟାଲଟି ହାର ୧୪ ପ୍ରତିଶତରୁ ୪ରୁ ୫ ପ୍ରତିଶତକୁ କମାଇବାକୁ ଦାବି କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ୨୦୧୪ ଜୁଲାଇ ୨୧ ତାରିଖରେ କେନ୍ଦ୍ର ସରକାର ଏକ ଏକ୍ସପର୍ଟ କମିଟି ଗଠନ କରିଥିଲେ । କମିଟି ବିଭିନ୍ନ ଦିଗକୁ ବିଚାର କରି ରୟାଲଟି ବୃଦ୍ଧି ନକରିବାକୁ ରିପୋର୍ଟ ଦେଇଥିଲା । କମିଟି ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମଏଫରୁ ରୟାଲିଟିର ୩୦ ପ୍ରତିଶତ ଏବଂ ନ୍ୟାସନାଲ ମିନେରାଲ ଟ୍ରଷ୍ଟ ଜରିଆରେ ଦୁଇ ପ୍ରତିଶତ ରୟାଲଟି ଦେଉଛନ୍ତି । ଏମିତି ରାଜ୍ୟମାନେ ପାଖାପାଖି ୧୯ ପ୍ରତିଶତ ରୟାଲଟି ପାଉଛନ୍ତି । ତେଣୁ ବର୍ତ୍ତମାନ ସ୍ଥିତିରେ ଆଉ ରୟାଲଟି ବୃଦ୍ଧି ନକରିବାକୁ ଏକ୍ସପର୍ଟ କମିଟିର ରିପୋର୍ଟକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ଏହି ଲିକ୍ଷିତ ଉତ୍ତର ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । କେନ୍ଦ୍ର ସରକାର ରୟାଲଟି ବୃଦ୍ଧି ନକରିବାକୁ ନିଷ୍ପତ୍ତି ନେଇଥିବାରୁ କୋଇଲାରୁ ଆଦାୟ ହେଉଥିବା ସେସରୁ ଓଡିଶାକୁ ତାର ଭାଗ ମିଳିବା ଉଚିତ ବୋଲି ଦାବି କରିଛନ୍ତି ।