ଜଙ୍ଗଲ ଓ ଜନ୍ତୁ ସୁରକ୍ଷାରେ ବି ଅବହେଳା, ଯୋଜନା ଲାଗୁ କରି କେନ୍ଦ୍ର ଦେଉନି ଅନୁଦାନ

1 min read

ଭୁବନେଶ୍ୱର: କେନ୍ଦ୍ର କାଟୁଛି । ରାଜ୍ୟ ବଢାଉଛି । ବନ୍ୟଜନ୍ତୁ ସୁରକ୍ଷା ଉଭୟ କେନ୍ଦ୍ର ଓ ରାଜ୍ୟର ଦାୟିତ୍ବ । ହେଲେ ଓଡ଼ିଶା ପାଇଁ କେନ୍ଦ୍ର ନିଜର ଏହି ଦାୟିତ୍ବ ଯେପରି ଭୁଲିଯାଇଛି । ହାତୀ ସଂରକ୍ଷଣ ନେଇ ଲାଗୁ ହୋଇଛି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା । ହାତୀ ପ୍ରକଳ୍ପ ବାବଦ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦରେ ଗତ ଦୁଇବର୍ଷରେ କେନ୍ଦ୍ର କାଟିଚାଲିଛି ୫୨.୪୯ ପ୍ରତିଶତ ଅର୍ଥ । ୨୦୨୧-୨୨ରେ ଏ ବାବଦରେ ପ୍ରସ୍ତାବିତ ୧୫ କୋଟିରୁ ଅନୁମୋଦନ କଲେ ୧୨ କୋଟି । ଦେଲାବେଳକୁ ଦେଇଛନ୍ତି ୯ କୋଟି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ ୧୨ କୋଟିରୁ ଅନୁମୋଦନ ହେଲା ୫ କୋଟି ୯୮ ଲକ୍ଷ । କିନ୍ତୁ ଦେଲାବେଳକୁ ଦେଲା ୪ କୋଟି ୪୯ ଲକ୍ଷ ଟଙ୍କା । ସେହିପରି ବ୍ୟାଘ୍ର ପ୍ରକଳ୍ପ ବାବଦରେ ବି ଚଳିତ ଆର୍ଥିକ ବର୍ଷ ଓ ଗତବର୍ଷ ମିଶାଇ କାଟିଲେଣି ୨୭ ପ୍ରତିଶତ ଅର୍ଥ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦୦୮ ମସିହାରୁ ଶିମିଳିପାଳ ଜୈବମଣ୍ଡଳ ୟୁନେସ୍କୋ ଦ୍ବାରା ବିଶ୍ବ ଐତିହ୍ୟର ମାନ୍ୟତା ପାଇଛି । ବିଶ୍ବ ଐତିହ୍ୟର ରକ୍ଷଣାବେକ୍ଷଣ ଓ ଭିତ୍ତିଭୂମି ବିକାଶ ବାବଦ ଅନୁଦାନ ଦେବା କେନ୍ଦ୍ରର ଦାୟିତ୍ବ । ୨୦୨୧-୨୨ ଓ ୨୦୨୨-୨୩ ବର୍ଷରେ ଶିମିଳିପାଳ ଅଭୟାରଣ୍ୟ ବାବଦରେ କେନ୍ଦ୍ର ଟଙ୍କାଟିଏ ଦେଇନି । ଖାଲି ସେତିକି ନୁହେଁ, ନନ୍ଦନକାନନ ଭଳି ପ୍ରାଣୀ ଉଦ୍ୟାନ ବିକାଶ ବାବଦରେ ଚଳିତ ଆର୍ଥିକ ବର୍ଷ ଓ ଗତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ପାଣ୍ଠି ଶୂନ ।

କେନ୍ଦ୍ରର ଏପରି ଚରମ ଅବହେଳାକୁ ନିନ୍ଦା କରିଛନ୍ତି ପୂର୍ବତନ ଜଙ୍ଗଲ ଅଧିକାରୀ । ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦରେ କେନ୍ଦ୍ର ସରକାର ରାଜ୍ୟକୁ ୩୦.୪୫ ଅର୍ଥ କାଟିଥିବାବେଳେ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବନ୍ୟଜନ୍ତୁ ସୁରକ୍ଷା ଓ ଜଙ୍ଗଲ ସଂରକ୍ଷଣ ବାବଦରେ ୩୨.୭୧ ପ୍ରତିଶତ ଅର୍ଥ ବୃଦ୍ଧି କରିଛନ୍ତି । ଯାହାକି ଅତ୍ୟନ୍ତ ପ୍ରଶଂସନୀୟ । କେନ୍ଦ୍ର ସରକାର ପାଣ୍ଠି ପ୍ରଦାନରେ ଅବହେଳା କରି ରାଜ୍ୟ ମୁଣ୍ଡକୁ ଦାୟିତ୍ବ ଖସାଇବାକୁ ଚାଲିଛନ୍ତି । ଦୁଇବର୍ଷ ତଳେ ଏକ କମିଟି ହାତୀ ପ୍ରକଳ୍ପ ବଦଳରେ ଜାତୀୟ ହସ୍ତୀ ସଂରକ୍ଷଣ ପ୍ରାଧିକରଣ ଗଠନ ନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ । କିନ୍ତୁ ତାହା ଏ ଯାଏ କାର୍ଯ୍ୟକାରୀ ହୋଇନି । ଯେ ପର୍ଯ୍ୟନ୍ତ ପ୍ରାଧିକରଣ କାର୍ଯ୍ୟକାରୀ ହୋଇନି, ସେ ପର୍ଯ୍ୟନ୍ତ ହାତୀ ପ୍ରକଳ୍ପ ବାବଦ ରାଜ୍ୟକୁ ଟଙ୍କା ଦେବା ଦରକାର । ଏଥିରେ ଅବହେଳା କଲେ ହାତୀ ସଂରକ୍ଷଣ ନେଇ ଓଡ଼ିଶା ସରକାରଙ୍କ ଉପରେ ଆର୍ଥିକ ଚାପ ରହିବ । କେନ୍ଦ୍ର ଏପରି କରି ନିଜ ଦାୟିତ୍ବ ରାଜ୍ୟକୁ ଠେଲିଦେବାକୁ ବସିଛି ।

ଜଙ୍ଗଲ ଓ ପରିବେଶ ସନ୍ତୁଳନ ପାଇଁ ଯେତିକି ରାଜ୍ୟର ଦାୟିତ୍ବ  ସେତିକି ଦାୟିତ୍ବ କେନ୍ଦ୍ର ସରକାରଙ୍କର ମଧ୍ୟ । ଜଙ୍ଗଲରେ ନିଆଁ ଲାଗିଲା ବୋଲି ଏଠି ବିରୋଧୀ ପାଟିତୁଣ୍ଡ କରୁଛନ୍ତି । କିନ୍ତୁ ଜଙ୍ଗଲ ନିଆଁ ବାବଦରେ କେନ୍ଦ୍ରୀୟ ପାଣ୍ଠି ଦେବାରେ ବି ଓଡ଼ିଶା ଅବହେଳାର ଶିକାର ହେଉଛି । ଯେଉଁଠି ପାଣ୍ଠିର ଆବଶ୍ୟକ ରହିଛି ସେଠି ପାଣ୍ଠି ଦେଉନି କେନ୍ଦ୍ର । ଯଦି ଦେଉଛି ତାହେଲେ ଆର୍ଥିକ ବର୍ଷ ଶେଷବେଳକୁ । ଯେପରି ରାଜ୍ୟ ଖର୍ଚ୍ଚ କରିବାକୁ ସମୟ ପାଇବନି । ଆଉ ରାଜ୍ୟ ବିନିଯୋଗ ପ୍ରମାଣପତ୍ର ଦେଇ ନ ପାରିଲେ ବଦନାମ କରିହେବ । କେନ୍ଦ୍ରର ଏଭଳି ଚାଲାକି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ।