ସଂକ୍ରମଣ ସଂକଟରେ କେନ୍ଦ୍ରର ପାତରଅନ୍ତର, ବନ୍ଦ ହେଲାଣି ୯୦୦ କେନ୍ଦ୍ର ଦିନକରେ ସରିବ ଷ୍ଟକ୍

ଭୁବନେଶ୍ୱର: ଆଜିଠାରୁ ପୁରା ଦେଶରେ ଟିକାକରଣ ଉତ୍ସବ ଆରମ୍ଭ ହୋଇଛି । ହେଲେ ଉତ୍ସବ ଆରମ୍ଭ ହେବା କ୍ଷଣି ରାଜ୍ୟରେ ୯ ଶହ ଟିକାକରଣ କେନ୍ଦ୍ର ବନ୍ଦ ହୋଇଛି। ରାଜ୍ୟରେ ଦୈନିକ ୨ ଲକ୍ଷ ଟିକା ଦିଆଯାଉଥିବା ବେଳେ ଏବେ ଏକ ଲକ୍ଷ ତଳକୁ ଖସିଛି ଦୈନିକ ଟିକାକରଣ। ପ୍ରଧାନମନ୍ତ୍ରୀଙ୍କ କରୋନା ସ୍ଥିତି ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୫ଲକ୍ଷ କରୋନା ଟିକା ଦେବାକୁ ଦାବି କଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ହେଲେ ମିଳିଲା ମାତ୍ର ଅଢ଼େଇ ଲକ୍ଷ ଟିକା। ଟିକା ଅଭାବରୁ ୯୦୦ ଟିକାକରଣ କେନ୍ଦ୍ର ବନ୍ଦ ହୋଲାଣି। ଗଚ୍ଛିତ ୨ଲକ୍ଷ ଟିକା ଦିନକରେ ସରିବ। କେନ୍ଦ୍ର ପୁଣି କେବେ ଟିକା ଦେବ, ତା’ର ଠିକ୍ ଠିକଣା ନାହିଁ। ଓଡ଼ିଶା ସମେତ ମହାରାଷ୍ଟ୍ର, କେରଳ, ଛତିଶଗଡ଼, ପଞ୍ଜାବ ଭଳି ଅଣବିଜେପି ଶାସିତ ରାଜ୍ୟର ସମାନ ଅବସ୍ଥା। ହେଲେ ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, ରାଜସ୍ଥାନ ଭଳି ବିଜେପି ଶାସିତ ରାଜ୍ୟକୁ ଆବଶ୍ୟକତାଠାରୁ ଅଧିକ ଟିକା କେନ୍ଦ୍ର ପଠାଉଛି। ଟିକା ଯୋଗାଣରେ ପକ୍ଷପାତିତା ହେଉଛି ବୋଲି ରାଜ୍ୟର ୨ ମନ୍ତ୍ରୀ ଅଭିଯୋଗ କରିଛନ୍ତି।

ଜାନୁଆରୀ ୧୬ରୁ ଦେଶରେ ଆରମ୍ଭ ହୋଇଛି ଟିକାକରଣ। ଏବେ ସୁଦ୍ଧା ଗୁଜରାଟକୁ ୧ କୋଟି ୫ଲକ୍ଷ, ଉତ୍ତରପ୍ରଦେଶକୁ ୯୨ଲକ୍ଷ, ମଧ୍ୟପ୍ରଦେଶକୁ ୫୮ଲକ୍ଷ, କର୍ଣ୍ଣାଟକକୁ ୭୦ଲକ୍ଷ ଟିକା ଯାଇଥିବା ବେଳେ ଓଡ଼ିଶାକୁ ୪୩ଲକ୍ଷ, ଝାଡ଼ଖଣ୍ଡକୁ ୨୫ଲକ୍ଷ, ଛତିଶଗଡ଼କୁ ୪୬ଲକ୍ଷ ଟିକା ମିଳିଛି। ସବୁଠୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରକୁ ୧ କୋଟି ୬ଲକ୍ଷ, ରାଜସ୍ଥାନକୁ ୧ କୋଟି ୫ଲକ୍ଷ ଟିକା ମିଳିଛି। ଗୋଟିଏ ପଟେ ଟିକା ଉତ୍ସବ ପାଳିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିବା ବେଳେ ରାଜ୍ୟରେ ଟିକାର ଘୋର ଅଭାବ ଦେଖାଦେଇଛି। ଟିକାର ଅଭାବ ନାହିଁ ବୋଲି କେନ୍ଦ୍ର ସରକାର କହୁଥିବା ବେଳେ ଗ୍ରାଉଣ୍ଡ ଜିରୋରେ ଟିକାର ଅଭାବ। ତୁରନ୍ତ ଟିକା ନ ଆସିଲେ, ରାଜ୍ୟରେ ଟିକାକରଣ ବନ୍ଦ ହେଇଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି। ଅନ୍ୟପଟେ ଟିକା ଯୋଗାଣରେ ରାଜନୀତିର ଗନ୍ଧ ବାରି ହେଉଛି ବୋଲି ବିଶେଷଜ୍ଞ କହିଛନ୍ତି।

ବିନା ଟିକାରେ ପାଳନ ହେଉଛି ଟିକା ଉତ୍ସବ । ଜିରୋ ୱେଷ୍ଟେଜ୍‌ ଓ  ସଚେତନତା ଟିକା ଉତ୍ସବର ଲକ୍ଷ୍ୟ ଥିବା ବେଳେ ଟିକାର ଅଭାବ ଯୋଗୁଁ ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ଷ୍ଟକ ଆଉଟ ହୋଇଯିବ । ଟିକାକୁ ନେଇ ହେଉଥିବା ରାଜନୀତି ଓ ପକ୍ଷପାତିତାକୁ ବୁଦ୍ଧିଜିବୀ ନାପସନ୍ଦ କରିଛନ୍ତି ।

Leave a Reply