ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଅନୁସରଣ: BSKY ଯୋଜନା ଢାଞ୍ଚାରେ କେନ୍ଦ୍ର ବାଣ୍ଟିବ ଡିଜିଟାଲ ହେଲ୍ଥ କାର୍ଡ

ଭୁବନେଶ୍ୱର: ରାଜ୍ୟକୁ ଅନୁସରଣ କଲା କେନ୍ଦ୍ର  । ବିଜୁ ସ୍ୱାସ୍ଥ୍ୟ କାର୍ଡ ଢାଞ୍ଚାରେ କେନ୍ଦ୍ର ବାଣ୍ଟିବ ଡିଜିଟାଲ ହେଲ୍ଥ କାର୍ଡ଼ । ଆୟୁଷ୍ମାନ ଭାରତ ଯୋଜନାରେ ଥିବା ତ୍ରୁଟିକୁ ନୂଆ କାର୍ଡ ମାଧ୍ୟମରେ ସୁଧାରିବା ପାଇଁ କେନ୍ଦ୍ର  ପ୍ରୟାସ କରୁଛି । ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ଶାସିତ ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି । ତେବେ ବିଏସକେଓ୍ବାଇ କାର୍ଡ ଭଳି କେନ୍ଦ୍ର ସରକାର ପ୍ରସ୍ତୁତ କରୁଥିବା କାର୍ଡରେ ଏତେ ଚିକିତ୍ସା ସୁବିଧା ନାହିଁ  ।

ନବୀନଙ୍କ ଯୋଜନାକୁ ଅନୁସରଣ କରୁଛନ୍ତି କେନ୍ଦ୍ର ସରକାର । ରାଜ୍ୟ ସରକାରଙ୍କ ଆଉ ଏକ ସଫଳ ଯୋଜନାକୁ ଆପଣାଇଛି କେନ୍ଦ୍ର । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡକୁ ଅନୁସରଣ କରୁଛି କେନ୍ଦ୍ର । ବିଜୁ ହେଲ୍ଥ୍ ସ୍ମାର୍ଟ କାର୍ଡ ଭଳି ହିତାଧିକାରୀଙ୍କ ଆଧାର ଓ ଫୋନ ନମ୍ବର ବି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଡିଜିଟାଲ ହେଲ୍ଥ କାର୍ଡରେ ରହିବ । ଜାତୀୟ ଡିଜିଟାଲ ହେଲ୍ଥ ମିଶନ ଅଧୀନରେ ଲୋକଙ୍କୁ ହେଲ୍ଥ କାର୍ଡ ଦିଆଯିବ । ତେବେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡରେ ଅନେକ ସୁବିଧା ଥିବାରୁ ଏହାକୁ ମଡେଲ ଭାବେ ନେଇଛନ୍ତି କେନ୍ଦ୍ର ସରକାର । ୧୪ଟିକିଆ ନମ୍ବର ବିଶିଷ୍ଟ ଏହି କାର୍ଡ ପାଇବା ପାଇଁ ହିତାଧିକାରୀଙ୍କୁ ଏନଡିଏଚ୍ଏମ୍ ମୋବାଇଲ ଆପ୍ ଡାଉନଲୋଡ କରିବାକୁ ପଡ଼ିବ ।

ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡରେ ସମସ୍ତ ସରକାରୀ ମେଡିକାଲ ସହିତ ରାଜ୍ୟ ଓ ରାଜ୍ୟ ବାହାରେ ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ହିତାଧିକାରୀ ମାଗଣା ଚିକିତ୍ସା ସୁବିଧା ପାଇପାରିବେ । ହେଲେ ଆୟୁଷ୍ମାନ ଯୋଜନା ହେଲ୍ଥ କାର୍ଡ ବୀମାଭୁକ୍ତ ହୋଇଥିବାରୁ ଚିକିତ୍ସା ପାଇବା ବୀମା କମ୍ପାନୀଙ୍କ ଉପରେ ନିର୍ଭର କରିବ । ସେହିଭଳି ବିଏସକେଓ୍ବାଇ କାର୍ଡକୁ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନେ ଲୋକଙ୍କ ପାଖକୁ ଯାଇ ବାଣ୍ଟଥିବା ବେଳେ ଆୟୁଷ୍ମାନ ଯୋଜନା କାର୍ଡ ପାଇବାକୁ ଲୋକଙ୍କୁ କଷ୍ଟ କରିବାକୁ ପଡ଼ିବ । ନବୀନ ସରକାରଙ୍କ ଆଉ ଏକ ଯୋଜନାକୁ କେନ୍ଦ୍ର ଆପଣାଇବା ବେଳେ ଏଥିରେ ମିଳୁଥିବା ସୁବିଧାକୁ ବି ଧ୍ୟାନ ଦେବା ଦରକାର ବୋଲି ସମୀକ୍ଷକ କହିଛନ୍ତି ।

ପୂର୍ବରୁ ମମତା ଯୋଜନା ଏବଂ ବେଆଇନ ଖଣି କାରବାର ରୋକିବାକୁ ରାଜ୍ୟ ସରକାର ଆଣିଥିବା ସ୍ବତନ୍ତ୍ର ସଫ୍ଟଓ୍ବେରକୁ ମଧ୍ୟ କେନ୍ଦ୍ର ସରକାର ଅନୁସରଣ କରିଥିଲେ  ।  ଏଥିସହ ଅନ୍ୟ ରାଜ୍ୟଙ୍କୁ ଏହାକୁ ମଡେଲ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

Leave a Reply