ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସହ ହେବ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବୈଠକ: ବକେୟା ଅର୍ଥ ପ୍ରଦାନ ନେଇ ଦାବି କରିବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଟଙ୍କା ଦେଉନି କେନ୍ଦ୍ର । କେନ୍ଦ୍ରୀୟ ଅଂଶଧନ ବାବଦକୁ ବକେୟା ଟଙ୍କା କେନ୍ଦ୍ର ଉପରେ ବଢିବଢି ଚାଲିଛି । ବିପର୍ଯ୍ୟୟ ସହାୟତା ଠାରୁ ଆରମ୍ଭ କରି କୋଇଲା ରୟାଲିଟି , ଜିଏସଟି ବାବଦକୁ ରାଜ୍ୟକୁ ବକେୟା ପ୍ରାପ୍ୟ ବି ଦେଉନାହିଁ କେନ୍ଦ୍ର । ଫୋକସ ରାଜ୍ୟ ଘୋଷଣା ତ ଦୂରର କଥା ଓଡିଶାକୁ ହକ୍ ଦେବାକୁ କରିଚାଲିଛି ଚରମ ଅବହେଳା । ରାଜ୍ୟ ପ୍ରତି କେନ୍ଦ୍ରର ଏପରି ବୈମାତୃକ ମନୋଭାବ ବିରୋଧରେ ଉଠିଛି ପ୍ରତିବାଦର ସ୍ୱର । ଯାହାକୁ ନେଇ ତେଜିଛି ରାଜନୀତି ।

ସବୁବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଓଡିଶା । ୨୦୦୦ରୁ ୨୦୨୧ ମସିହା ଭିତରେ ୭ ଟି ବାତ୍ୟା , ୬ଟି ମରୁଡି , ୧୫ ଟି ଭୟାନକ ବନ୍ୟାକୁ ସାମନା କରିସାରିଲାଣି ରାଜ୍ୟ । ଏକାକୀ ସଫଳତାର ସହ ମୁକାବିଲା କରିଥିଲେ ମଧ୍ୟ ଦୋହଲି ଯାଉଛି ରାଜ୍ୟର ଆର୍ଥିକ ବ୍ୟବସ୍ଥା । ବିକାଶରେ ଲାଗୁଛି ବ୍ରେକ୍ । କ୍ଷତିପୂରଣ ବାବଦକୁ କେନ୍ଦ୍ର ପାଖରେ ରାଜ୍ୟ ଅର୍ଥ ଦାବି କରୁଥିବା ବେଳେ ସମୁଦ୍ରକୁ ଶଙ୍ଖେ ଦେବା ନ୍ୟାୟରେ ରାଜ୍ୟକୁ ସହଯୋଗ କରୁଛି କେନ୍ଦ୍ର । ଏଯାଏଁ ୭୧ ହଜାର କୋଟି ଟଙ୍କା କ୍ଷତିପୂରଣ ବାବଦକୁ ରାଜ୍ୟ ଦାବି କରିଥିବା ବେଳେ ମିଳିଛି ମାତ୍ର ୭ ହଜାର କୋଟି । ସେହିପରି ଅନେକ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟର ଅଂଶଧନ ମିଳୁନଥିବା ବେଳେ ଜିଏସଟି , କୋଇଲା ରୟାଲିଟି , ଧାନକିଣା ସବସିଡି ବାବଦକୁ କୋଟି କୋଟି ଟଙ୍କା କେନ୍ଦ୍ର ଖାତାରେ ବକେୟା ପଡୁଛି । ଯାହାକୁ ନେଇ ସଂସଦରେ ବିଜେଡି ବାରମ୍ବାର ସ୍ୱର ଉତ୍ତୋଳନ କରୁଛି । ରାଜ୍ୟ ଦାବି କରିଥିଲେ ମଧ୍ୟ କେନ୍ଦ୍ର କିନ୍ତୁ ଅଣଦେଖା କରିଚାଲିଛି ।

ଅନ୍ୟପକ୍ଷରେ ୭ ବର୍ଷ ଭିତରେ ୩୩ଟି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର ଅର୍ଥକାଟ ହେବା ସହ ୮ଟି ଯୋଜନାକୁ ସମ୍ପୁର୍ଣ୍ଣ ବନ୍ଦ କରିଛନ୍ତି କେନ୍ଦ୍ରସରକାର । ୯୦- ୧୦ ଅନୁପାତର ଅଂଶଧନ ଏବେ ୫୦ -୫୦ପ୍ରତିଶତରେ ପହଞ୍ଚିଲାଣି । ଆସନ୍ତା ୨୬ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ମାଓ ଦମନ ଉପରେ କେନ୍ଦ୍ର ରାଜ୍ୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ରାଜ୍ୟର ବକେୟା ଅର୍ଥ ପ୍ରସଙ୍ଗ ଉଠାଇବେ । କେନ୍ଦ୍ରୀୟ ଅଂଶଧନ ଓ ବକେୟା ଅର୍ଥ ଦେବା ପାଇଁ ଦାବି କରିବେ । ଲଗାତାର ଭାବେ କେନ୍ଦ୍ରର ରାଜ୍ୟ ପ୍ରତି ଏଭଳି ଅଣଦେଖା ନେଇ କେନ୍ଦ୍ର ଉପରେ ବର୍ଷିଛି କଂଗ୍ରେସ ଓ ବିଜେଡି । ସେପଟେ ରାଜ୍ୟ ସ୍ୱାର୍ଥ ଭୁଲି ଏହି ପ୍ରସଙ୍ଗରେ କେନ୍ଦ୍ର ପାଇଁ ଓକିଲାତି କରିଛି ବିଜେପି । କୋଇଲା ସେସ୍ ବାବଦକୁ କେନ୍ଦ୍ର ପ୍ରତିବର୍ଷ ୧୨ ହଜାରରୁ ୧୪ ହଜାର କୋଟି ଟଙ୍କା ରାଜସ୍ୱ ନେଉଛି । ହେଲେ ୭ ବର୍ଷ ଧରି ଟଙ୍କାଟିଏ ବି ଦେଇନାହିଁ ରାଜ୍ୟକୁ । ଜିଏସଟି ବାବଦକୁ ୩ ହଜାର କୋଟି ଟଙ୍କା ବକେୟା ପଡ଼ିରହିଛି ।

Leave a Reply