ଆର୍ଥିକ ପରିଚାଳନାରେ ଓଡ଼ିଶା ନମ୍ବର ଓ୍ବାନ୍, ହେଲେ କେନ୍ଦ୍ର ଅର୍ଥ କମିଶନ ଦେଉଛନ୍ତି ଅଢେଇ ପ୍ରତିଶତ ୱେଟେଜ୍

1 min read

ଭୁବନେଶ୍ବର: ଆର୍ଥିକ ପରିଚାଳନାରେ ଓଡ଼ିଶା ଦେଶରେ ନମ୍ବର ଓ୍ବାନ୍ । ପୂର୍ବ ସରକାର ଅମଳରୁ ରାଜ୍ୟ ଆର୍ଥିକ ପରିଚାଳନା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଆସିଛି । ଏହି କଥାକୁ ସ୍ବୀକାର କରିଛନ୍ତି ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ. ଅରବିନ୍ଦ ପାନଗାରିଆ । କିନ୍ତୁ କମିଶନ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦ ଅନୁପାତକୁ ମାତ୍ର ଅଢେଇ ପ୍ରତିଶତ ଓ୍ବେଟେଜ୍ ଦେଉଛନ୍ତି । ଏହାକୁ ୧୫ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ଏହାସହ ରାଜ୍ୟକୁ କେନ୍ଦ୍ରୀୟ ଟିକସରୁ ୫୦ ପ୍ରତିଶତ ଦେବା ପାଇଁ ପୂର୍ବରୁ ନବୀନ ପଟ୍ଟନାୟକ କରିଥିବା ଦାବିକୁ ଦୋହରାଇଛନ୍ତି ବର୍ତ୍ତମାନର ବିଜେପି ସରକାର । ରାଜ୍ୟ ସରକାରଙ୍କ ତରଫରୁ କମିଶନଙ୍କୁ ବିଭିନ୍ନ କ୍ଷେତ୍ର ପାଇଁ ମୋଟ ୧୨ ଲକ୍ଷ ୫୯ ହଜାର ୧୪୮ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ।

ନବୀନ ସରକାରଙ୍କ ଧାରାରେ ମୋହନ ସରକାର । କେନ୍ଦ୍ର ଟିକସ ଅଂଶରୁ ରାଜ୍ୟମାନଙ୍କୁ ମିଳୁ ୫୦ ପ୍ରତିଶତ । ଏକଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ । ସମାନ ଦାବି ଆଜି ଷୋଡ଼ଶ ଅର୍ଥ କମିଶନ ଆଗରେ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ପୂର୍ବ ନବୀନ ସରକାରଙ୍କ ଅମଳରୁ ଓଡ଼ିଶା ଆର୍ଥିକ ପରିଚାଳନାରେ ଦେଶରେ ନମ୍ବର ଓ୍ବାନ୍ । ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ପୁଲରୁ ୪.୫୨୮ ବଦଳରେ ୪. ୯୬୪ ପ୍ରତିଶତ ଦେବାକୁ ଦାବି କରିଛନ୍ତି । ରାଜ୍ୟକୁ ଅଧିକ ଅର୍ଥ ନ ମିଳିଲେ ୨୦୨୬-୨୭ ବେଳକୁ ରାଜ୍ୟର ରାଜସ୍ବ ନିଅଣ୍ଟ ପରିମାଣ ୯ ଲକ୍ଷ ୮୮ ହଜାର ୪୨୨ କୋଟି ଟଙ୍କାରେ ପହଁଚିବ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି-SDRFକୁ ଶତ ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ପାଇଁ ମଧ୍ୟ ଦାବି କରାଯାଇଛି । ଏ ବାବଦରେ ରାଜ୍ୟ ୩୧ ହଜାର ୦୦୪ କୋଟିର ପ୍ରସ୍ତାବ ଦେଇଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି SDMF ବାବଦରେ କେନ୍ଦ୍ର ଦେଉ ୨୯ ହଜାର ୨୫୨ କୋଟି । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥା ଅନୁଦାନ ରାଶି ବାବଦରେ ୧ ଲକ୍ଷ ୩୬ ହଜାର କୋଟି ଓ ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ୧ ଲକ୍ଷ ୧୦ ହଜାର ୪୩୪ କୋଟିର ପ୍ରସ୍ତାବ କମିଶନଙ୍କୁ ଦିଆଯାଇଛି ।

ଆର୍ଥିକ ପରିଚାଳନାରେ ନବୀନ ମଡେଲ ଦେଶରେ ନମ୍ବର ଓ୍ବାନ ପ୍ରମାଣିତ ହୋଇଛି । ଓଡ଼ିଶାର ଆର୍ଥିକ ପରିଚାଳନାକୁ  ପ୍ରଶଂସା କରିଛନ୍ତି କେନ୍ଦ୍ର ଅର୍ଥ କମିଶନ ଅଧ୍ୟକ୍ଷ । ଡ. ପାନଗାରିଆ ନୀତି ଆୟୋଗର ଉପାଧ୍ୟକ୍ଷ ଥିବା ବେଳେ ଓଡ଼ିଶାର ଆର୍ଥିକ ପରିଚାଳନା ଅନ୍ୟ ରାଜ୍ୟ ତୁଳନାରେ ଉଲ୍ଲେଖନୀୟ ଥିଲା ବୋଲି ସ୍ବୀକାର କରିଛନ୍ତି । କିନ୍ତୁ ପୂର୍ବ କେନ୍ଦ୍ର ଅର୍ଥ କମିଶନମାନେ ଆର୍ଥିକ ସୁପରିଚାଳନା ରାଜ୍ୟ ପାଇଁ ମାତ୍ର ଅଢ଼େଇ ପ୍ରତିଶତ ୱେଟେଜ୍ ଦେଉଥିଲେ । ଏହାକୁ ୧୫ ପ୍ରତିଶତକୁ ବଢାଇବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ପୂର୍ବରୁ ରାଜ୍ୟର ମୁଣ୍ଡ ପିଛା ଆୟ ଯାହା ଥିଲା ତାହା ଏବେ କମିଲାଣି । ଏ କ୍ଷେତ୍ରରୁ କମିଶନ ୪୫ ପ୍ରତିଶତ ଓ୍ବେଟେଜ୍ ଦେଉଛନ୍ତି । ତେଲେଙ୍ଗାନା ଛୋଟିଆ ରାଜ୍ୟ ହୋଇ ମୁଣ୍ଡ ପିଛା ଆୟ ୩ ଲକ୍ଷ ୫୬ ହଜାର ୫୬୪ ଟଙ୍କା ଥିବାବେଳେ ଏବର ବିଜେପି ସରକାର ସମୟରେ ଓଡ଼ିଶାର ମୁଣ୍ଡ ପିଛା ଆୟ ହ୍ରାସ ପାଇ ୧ ଲକ୍ଷ ୬୫ ହଜାର  ୦୬୮ ଟଙ୍କା ହୋଇଛି । ଜନସଂଖ୍ୟା ଫର୍ଟିଲିଟି ଓ୍ବେଟେଜ୍କୁ ୧୨.୫ ପ୍ରତିଶତରୁ ୧୦ ପ୍ରତିଶତକୁ କମାଇବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିବା କମିଶନ କହିଛନ୍ତି ।

ତେବେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା କିମ୍ବା ସ୍ବତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ଦେବା କମିଶନଙ୍କ କ୍ଷମତା ପରିସର ନୁହେଁ । ଏହାସହିତ ସେସ ଓ ସରଚାର୍ଜ ଅର୍ଥ କେନ୍ଦ୍ର ଟିକସ ପୁଲରେ ମିଶାଇବା ପାଇଁ କମିଶନ ସୁପାରିସ କରିପାରିବେ ନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି । ଆସନ୍ତା ଅକ୍ଟୋବର ସୁଦ୍ଧା କମିଶନ କେନ୍ଦ୍ର ସରକାରଙ୍କୁ ଟିକସ ଭାଗବଣ୍ଟା ନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ।