ଖୋର୍ଦ୍ଧା ପାଇକ ବିଦ୍ରୋହକୁ କେନ୍ଦ୍ରର ଅଣଦେଖା, ମିଳୁନି ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା

ଭୁବନେଶ୍ୱର: ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଅଣଦେଖା କରୁଛନ୍ତି କେନ୍ଦ୍ର ସରକାର । ବାରମ୍ବାର ଦାବି ପରେ ବି ମିଳୁନି ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା । ଏନେଇ କେନ୍ଦ୍ର ସରକାରଙ୍କୁ ଘେରିବା ସହିତ ବିଜେପିକୁ ସମାଲୋଚନା କରିଛି ବିଜେଡି । ପ୍ରେସମିଟରେ ବିଜେଡି କହିଛି ୧୮୧୭ ମସିହାରେ ଖୋର୍ଦ୍ଧା ପାଇକଙ୍କ ଦ୍ୱାରା ସଂଗ୍ରାମ ଆରମ୍ଭ ହୋଇଥିଲା । ଯାହାକି ଦେଶ ସ୍ୱାଧୀନତା ପାଇଁ ପ୍ରଥମ ସଂଗ୍ରାମ । ପାଇକ ବିଦ୍ରୋହକୁ ପ୍ରଥମ ଭାରତୀୟ ମୁକ୍ତି ସଂଗ୍ରାମ ଭାବେ ଘୋଷଣା ପାଇଁ ଦାବି କରୁଛନ୍ତି ରାଜ୍ୟ ସରକାର । ଏଥିପାଇଁ ୨୦୧୭ରେ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିଲା । ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର ୧୦ ଏକର ଜାଗା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ମାଗଣାରେ ଯୋଗାଇ ଦେଇଛନ୍ତି । ଯାହାର ମୂଲ୍ୟ ପାଖାପାଖି ୩୦ କୋଟି ଟଙ୍କା ହେବ । ପ୍ରଥମ ସ୍ବାଧୀନତା ସଂଗ୍ରାମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯, ୨୦୨୦, ୨୦୨୧ରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରି ପାଇକ ବିଦ୍ରୋହ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।

ବିଜେଡି ବିଧାୟକ ମିଳିତ ଭାବେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଥିଲେ । ରାଜ୍ୟର ସବୁ ପ୍ରକାର ସହଯୋଗ ପରେ ବି କେନ୍ଦ୍ର ସରକାର ନିଦାବିଷ୍ଣୁ ହୋଇ ବସିଛି । ଏଯାଏ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ କିଛି ବି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଓଡ଼ିଶାରୁ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ୮ ବିଜେପି ସାଂସଦ ଥିଲେ ମଧ୍ୟ ଦିନେ ବି ଏ ସମ୍ପର୍କରେ ସଂସଦରେ ସ୍ବର ଉଠାଇନାହାନ୍ତି । ଭୁବନେଶ୍ବର ସାଂସଦଙ୍କ ନିର୍ବାଚନୀ କ୍ଷେତ୍ର ହୋଇ ବି ପାଇକଙ୍କ ପାଇଁ ଦାବି ଉଠାଇ ନଥିବା ଅଭିଯୋଗ ହୋଇଛି । ପାଇକଙ୍କ ସଂଗ୍ରାମକୁ ସମ୍ମାନ ଦେଇ ତୁରନ୍ତ ୧୮୧୭ ମସିହା ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ଦାବି ଦୋହରାଇଛି ବିଜେଡି ।