ରାଉରକେଲାରେ ଘରୋଇ ହସ୍ପିଟାଲ ଦ୍ୱାରା ସୁପର ସ୍ପେଶାଲିଟି ହସପିଟାଲର ପରିଚାଳନାକୁ ବିରୋଧ

1 min read

ରାଉରକେଲା: ରାଉରକେଲାକୁ କେନ୍ଦ୍ରର ଅବହେଳା । ଏକ ଘରୋଇ ହସ୍ପିଟାଲ ଦ୍ବାରା ସୁପର ସ୍ପେଶିଆଲିଟି ହସ୍ପିଟାଲ ପରିଚାଳନାକୁ ବିରୋଧ । ୪ ଶହ କୋଟି ଟଙ୍କାରେ ପ୍ରତିଷ୍ଠା ହୋଇଛି ରାଉରକେଲା ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲ । ମାତ୍ର ଏହାକୁ ଏକ ଘରୋଇ ହସ୍ପିଟାଲ ପରିଚାଳନା କରିବା ବିରୋଧରେ ସ୍ବର ତେଜିଛି । ଏହା କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବୋଲି ରାଉରକେଲାବାସୀ ଅଭିଯୋଗ କରିଛନ୍ତି । ଏହାକୁ ଏମ୍ସରେ ପରିଣତ କରି ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ଦାବି ହୋଇଛି । କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ମୁତାବକ ରାଉରକେଲାରେ ତୁରନ୍ତ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସମସ୍ତ ରାଜନୈତିକଙ୍କ ଦଳ ସହିତ ସାମାଜିକ ଓ ଶ୍ରମିକ ସଂଗଠନ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଏପ୍ରିଲ ପହିଲାରୁ ବଡ଼ ଧରଣର ଆନ୍ଦୋଳନ କରିବାକୁ ରାଉରକେଲା ନାଗରିକ ସୁରକ୍ଷା କମିଟି ଚେତାବନୀ ଦେଇଛି ।

ରେଳକ୍ଷେତ୍ରରେ ମଧ୍ୟ ରାଉରକେଲାକୁ କେନ୍ଦ୍ରର ଅବହେଳା ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଛି । ତାଳଚେର-ବିମଳାଗଡ଼ ରେଳପଥ ତୁରନ୍ତ ନିର୍ମାଣ ସହ ରାଉରକେଲାକୁ ରେଳ ଡିଭିଜନ ଘୋଷଣା କରିବାକୁ ଦାବି ହୋଇଛି । ବିମାନବନ୍ଦରକୁ ମଧ୍ୟ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ରାଉରକେଲାବାସୀ ଦାବି କରିଛନ୍ତି । ଏନେଇ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଏପ୍ରିଲ ଏକ ତାରିଖରୁ ଆମ୍ବାଗାନ ଛକରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ଗଣଧାରଣା ଦିଆଯିବ ବୋଲି ନାଗରିକ ସୁରକ୍ଷା କମିଟି ଚେତାବନୀ ଦେଇଛି ।