ତୁଟିଲା ପଶ୍ଚିମ ଓଡ଼ିଶାବାସୀଙ୍କ ଦୀର୍ଘଦିନର ଆଶା, ସୁନ୍ଦରଗଡ଼ ଏମସକୁ କେନ୍ଦ୍ରର ନା’

ଭୁବନେଶ୍ୱର: ପୁଣିଥରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପ୍ରତାରଣାର ଶିକାର ହୋଇଛି ଓଡ଼ିଶା । ଭୁବନେଶ୍ୱରରେ ଇଏସଆଇ ମେଡିକାଲ କଲେଜ ଓ ହସପିଟାଲ, ରାଉରକେଲା ଆଇଜିଏଚ୍‌ରେ ମେଡିକାଲ କଲେଜ ସ୍ଥାପନ ପାଇଁ ପ୍ରତିଶ୍ରୁତିରୁ କେନ୍ଦ୍ର ସରକାର ଓହରି ଯାଇଥିବାବେଳେ, ଏବେ ସୁନ୍ଦରଗଡରେ ରାଜ୍ୟର ଦ୍ୱିତୀୟ ଏମସ୍ ସ୍ଥାପନ ପ୍ରସଙ୍ଗରେ ହାତ ଟେକି ଦେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟ ସରକାର ସୁନ୍ଦରଗଡ଼ରେ ଏମସ୍ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ନୁହଁନ୍ତି କେନ୍ଦ୍ର ସରକାର । ଏନେଇ ସିଧାସିଧା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ୱାର ।

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାରେ ଦ୍ୱିତୀୟ ଏମସ୍ ସ୍ଥାପନ ପାଇଁ କୌଣସି ପ୍ରସ୍ତାବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ । ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମସ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ନିକଟରେ ଦାବି କରି ଆସୁଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ପ୍ରସଙ୍ଗରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ବିଜେଡି ସାଂସଦ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ମାତ୍ର ଏବେ କେନ୍ଦ୍ର ସରକାର ସୁନ୍ଦରଗଡ଼ ଏମସ୍ କଥା ସଂପୂର୍ଣ୍ଣ ଏଡ଼ାଇ ଯାଇଛନ୍ତି ।