ଦ୍ବିତୀୟ ଲହରର ସରିବା ରାସ୍ତାରେ ଟିକା ଗୁରୁତ୍ବକୁ ବୁଝିଲା କେନ୍ଦ୍ର, ପଲିସିକୁ ଟ୍ରାକକୁ ଆଣିବାକୁ ଯୋଜନା

1 min read

New Delhi: Prime Minister Narendra Modi at the party headquarters to celebrate victory in UP and Uttrakhand Assembly elections, in New Delhi on Sunday. PTI Photo by Manvender Vashist(PTI3_12_2017_000185B)

ଆଗ ଫେଲ ମାରିଲେ ଏବେ ୟୁ-ଟର୍ଣ୍ଣ । କରୋନା ମୁକାବିଲାରେ କେନ୍ଦ୍ରର ସ୍ପଷ୍ଟ ନଥିଲା ଟିକାନୀତି । ସୁପ୍ରିମକୋର୍ଟଙ୍କ ବାରମ୍ବାର ଭର୍ତ୍ସନା ପରେ ବ୍ୟାକଫୁଟକୁ ଆସିଥିଲେ କେନ୍ଦ୍ର ସରକାର । ଦ୍ବିତୀୟ ଲହର ସରିବା ବେଳକୁ ନିଦରୁ ଉଠି ହଠାତ ମାଗଣା ଟିକାକରଣ ନେଇ ଘୋଷଣା କଲେ । ହେଲେ ଟିକା ନାଁରେ ରାଷ୍ଟ୍ରନୀତି ନୁହେଁ ରାଜନୀତିର ଖେଳ ଖେଳିଛନ୍ତି । ଡ୍ୟାମେଜ କଣ୍ଟ୍ରୋଲ ପାଇଁ ମାଗଣା ଟିକା ଆଳରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ସର୍ତ୍ତର ଅଡୁଆ ସୂତାରେ ଛନ୍ଦି ଦେଇଛନ୍ତି ।

ଟିକା ଗାଡ଼ିର ନିଜେ ଡ୍ରାଇଭର ସାଜିଲେ ପ୍ରଧାନମନ୍ତ୍ରୀ । ଟିକାକରଣକୁ ନେଇ କେନ୍ଦ୍ରର ୟୁ-ଟର୍ଣ୍ଣ । ଟିକାକରଣ ୧.୦ ଭଳି ଚାଲିବ ୩.୦ । ସୁପ୍ରିମକୋର୍ଟଙ୍କ ପ୍ରଶ୍ନବାଣ ପରେ ଚେତିଲେ କେନ୍ଦ୍ର ସରକାର । ଦେଶରେ ଟିକାକରଣ ଫେଲ ମାରିବା ପରେ ଆଉ ଥରେ ପଲିସିରେ ପରିବର୍ତ୍ତନ କରିଛନ୍ତି ସରକାର । କରୋନାର ଦ୍ବିତୀୟ ଲହର ପରେ ଟିକାର ଗୁରୁତ୍ବ ଏବଂ ସଠିକ୍‌ ରୋଡ ମ୍ୟାପ୍‌ ପ୍ରସ୍ତୁତି ନେଇ ଏବେ ସରକାରଙ୍କର ଚେତା ପଶିଛି । ସାରା ଦେଶରେ ଲଗାତାର କେନ୍ଦ୍ରର ଟିକା ପଲିସି ଉପରେ ପ୍ରଶ୍ନ ସୃଷ୍ଟି ହେଉଥିଲା । ଅନେକ ସ୍ଥାନରେ ଟିକାର ଅଭାବ ଯୋଗୁଁ ଟିକାକରଣ ବନ୍ଦ ହେଉଥିଲା । ସୁପ୍ରିମକୋର୍ଟ ମଧ୍ୟ ଲଗାତାର କେନ୍ଦ୍ରକୁ ଟିକା ପଲିସି ଉପରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସତ୍ତ୍ବେ ବି କେନ୍ଦ୍ରଠୁ ଠିକ୍‌ ଉତ୍ତର ମିଳୁନଥିଲା । ଏହାରି ଭିତରେ ଦେଶରେ ଲକ୍ଷାଧିକ ଲୋକଙ୍କ ଜୀବନ ମଧ୍ୟ ଯାଇଛି । କରୋନାର ସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କେନ୍ଦ୍ର ସରକାର ଟିକାକୁ ନେଇ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । କିନ୍ତୁ ଏହା ଖୁବ ବିଳମ୍ବ ହୋଇଯାଇଥିବା କୁହାଯାଉଛି ।

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ କେନ୍ଦ୍ର ସରକାର ଏଥିରେ ରୋକ ଲଗାଇବା ପାଇଁ ବାହାଘର ବେଳେ ବାଇଗଣ ରୁଆ ପରି ଏକ ପ୍ରକାର ଉଦ୍ୟମ କରିଛନ୍ତି । ଟିକାକରଣର ସମସ୍ତ ଦାୟିତ୍ବ ନିଜ ଉପରେ ନ୍ୟସ୍ତ କରିଛନ୍ତି । ରାଜ୍ୟ ସରକାର ଟିକା କିଣିବା ଉପରେ ଯେଉଁ ଅଧିକାର ନେଇଥିଲେ, ସେଥିପାଇଁ ଟିକାକରଣରେ ବିଳମ୍ବ ହେଉଛି । ଏବେ ସବୁ ଦୋଷ ରାଜ୍ୟ ଆଡକୁ ଠେଲି ଦେଇଛନ୍ତି ସରକାର । ଟିକା କିଣିବାରେ କେନ୍ଦ୍ରୀକରଣ କ୍ଷମତାକୁ ବିଜେପି ପ୍ରଶଂସା କରିଥିବା ବେଳେ ବିରୋଧୀ ଏହାକୁ ସୁପ୍ରିମକୋର୍ଟଙ୍କ ଛାଟ ପରେ ଉଦ୍ୟମ କରାଯାଇଛି ବୋଲି କହିଛନ୍ତି । ମେ ୩୧ରେ ସୁପ୍ରିମକୋର୍ଟ ମାମଲାରେ କେନ୍ଦ୍ର ଉପରେ ପ୍ରବଳ ବର୍ଷିଥିଲେ । ପରେ ଜୁନ୍‌ ୧ରୁ କେନ୍ଦ୍ର ସରକାର ଏକ କମିଟି ଜରିଆରେ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ ବୋଲି କୁହାଯାଉଛି । ଏପଟେ ଟିକାକରଣ ନେଇ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଜୁନ୍ ୨୧ ତାରିଖରୁ ସମସ୍ତ ରାଜ୍ୟକୁ ମାଗଣାରେ ମିଳିବ ଟିକା । ଦେଶରେ ଉତ୍ପାଦିତ ଟିକାର ୭୫% ନେବେ ଭାରତ ସରକାର । ଏହି ସମସ୍ତ ଟିକା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରିବେ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜନସଂଖ୍ୟା ହିସାବରେ ମିଳିବ ଟିକା । ଟିକା ମିଳିବାକୁ ଥିବା ରାଜ୍ୟକୁ ଆଗୁଆ ଖବର ଯିବ । ବାକି ୨୫ ପ୍ରତିଶତ ଟିକା ଘରୋଇ ମେଡିକାଲ ଉତ୍ପାଦନକାରୀଙ୍କ ଠାରୁ ସିଧାସଳଖ କିଣିବେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଟିକା ନଷ୍ଟ ନକରିବା ପାଇଁ ପରାମର୍ଶ ଦେଇଛନ୍ତି ସରକାର । ଏହାଦ୍ବାରା ଅନ୍ୟ ରାଜ୍ୟକୁ ଦିଆଯାଉଥିବା ଟିକା ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି ।

Leave a Reply