ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଚକ୍ରାନ୍ତ, ଲୋକଙ୍କ ପେଟପାଟଣା ସହ ଖେଳୁଛି କେନ୍ଦ୍ର

1 min read
NTPC

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଚକ୍ରାନ୍ତ । ହଜାର ହଜାର ଲୋକଙ୍କ ପେଟପାଟଣା ସହ ଖେଳୁଛି କେନ୍ଦ୍ର । ବିନା ଥଇଥାନରେ ତାଳଚେର ପାୱାର ପ୍ଲାଣ୍ଟ ବନ୍ଦକୁ ବିରୋଧ । ଅବଧି ଶେଷ ପୂର୍ବରୁ ବନ୍ଦ ହୋଇଗଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ । ଯେଉଁ ପ୍ରକଳ୍ପ ୫୪ ବର୍ଷ ହେଲା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇ ଆସୁଥିଲା ସେହି ଅଞ୍ଚଳରେ ଏବେ ଅନ୍ଧାର ହିଁ ଅନ୍ଧାର । ଏଭଳି ଅସ୍ୱାଭାବିକ ପରିସ୍ଥିତିକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ସ୍ଥାନୀୟ ଜନସାଧାରଣ । ଏହାକୁ ନେଇ ଏବେ କେନ୍ଦ୍ର ବିରୁଦ୍ଧରେ ଗର୍ଜିଛି ବିଭିନ୍ନ ଶ୍ରମିକ ଟ୍ରେଡ୍ ୟୁନିୟନ । ଅପର ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସମ୍ପର୍କରେ କେନ୍ଦ୍ରକୁ ଚିଠି ଲେଖି ଶୀଘ୍ର ସଂପ୍ରସାରଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିବେଦନ କରିଛନ୍ତି ।

ଷ୍ଟେଜ୍‌-ଥ୍ରୀ ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ରାଜ୍ୟ ଯୋଗାଇ ଦେଇଛି ଜମି । ତୁରନ୍ତ କାର୍ଯ୍ୟକାରୀ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ । ସବୁ ସରିଛି ହେଲେ ଶୁଣୁନି କେନ୍ଦ୍ର । ସବୁ ଜାଣି ରାଜ୍ୟ ପ୍ରତି ଦୋ ମୁହାଁ ନୀତି କରୁଛି କେନ୍ଦ୍ର । ଏନଟିପିସିର ମନମୁଖୀ କାରବାରରେ କ୍ଷତି ସହିବ ଓଡ଼ିଶା । କେନ୍ଦ୍ର ଓ ଏନଟିପିସିକୁ ନିଦରୁ ଉଠାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର କେ ସିଂହଙ୍କୁ ଲେଖିଛନ୍ତି ଚିଠି । ଫେବ୍ରୁଆରୀ ୨୦୨୦ରେ ସରକାର ତାଳଚେର ଥର୍ମାଲ ପାୱାର ଷ୍ଟେସନ-ଟିଟିପିଏସର ଷ୍ଟେଜ-ଥ୍ରୀ ସଂପ୍ରସାରଣ ପ୍ରକଳ୍ପକୁ ଅନୁମତି ଦେଇସାରିଛନ୍ତି । କିନ୍ତୁ ଏହାକୁ ଅଧିଗ୍ରହଣ କରିଥିବା ଏନଟିପିସି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଆଗ୍ରହ ଦେଖାଉନାହିଁ ।

ଅନ୍ୟପଟେ ୨୦୨୧ ମାର୍ଚ୍ଚ ୩୧ରୁ ଟିଟିଏସକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯିବା ନିଷ୍ପତ୍ତି ଆଗୁଆ କାର୍ଯ୍ୟକାରୀ ହୋଇସାରିଲାଣି । ଏପରି ସ୍ଥିତିରେ ହଜାର ହଜାର ଲୋକଙ୍କ ଜୀବନ ଜୀବିକା ଗୁରୁତର ପ୍ରଭାବିତ ହେବା ସହ ସ୍ଥାନୀୟ ଅର୍ଥନୀତି ମଧ୍ୟ ବାଧାପ୍ରାପ୍ତ ହେବ । ତେଣୁ ଯଥାଶୀଘ୍ର ଟିଟିପିଏସ୍‌ ଷ୍ଟେଜ୍‌ ଥ୍ରୀ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନବୀନ ନିବେଦନ କରିଛନ୍ତି । ୨୦୧୦ରୁ ପ୍ରସ୍ତାବ ସହ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିବା ସତ୍ତ୍ୱେ କାହିଁକି ଏନଟିପିସି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ କରୁନି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପଚାରିବାକୁ କହିଛନ୍ତି । ଆସନ୍ତୁ ଶୁଣିବା କଣ କହୁଛନ୍ତି ସ୍ଥାନୀୟ ବିଧାୟକ ବ୍ରଜ ପ୍ରଧାନ ।

ତାଳଚେର ଥର୍ମାଲ ପାୱାର ଷ୍ଟେସନ । ଦୀର୍ଘ ୫୪ ବର୍ଷରୁ ଅଧିକ ସମୟ ଧରି ରାଜ୍ୟବାସୀଙ୍କୁ ଅବିରତ ବିଜୁଳି ପ୍ରଦାନ କରିଆସୁଛି । ବର୍ତ୍ତମାନ ବନ୍ଦ ହୋଇଯିବା ପରେ ଏ ନେଇ ଉଠିଛି ଝଡ଼ । ସମସ୍ତ ୬ଟି ୟୁନିଟକୁ ବନ୍ଦ କରିଦେବା ଫଳରେ ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଛି । ତେବେ ପ୍ରଦୂଷଣ ମଞ୍ଜୁରୀ ଅବଧି ସରିବା ପୂର୍ବରୁ ପ୍ଲାଣ୍ଟ୍‌ ବନ୍ଦ ହୋଇଯିବାକୁ ନେଇ ଉଠିଛି ସାରା ଅଞ୍ଚଳରେ ଅସନ୍ତୋଷର ନିଆଁ । ୧୪ ଶହ ଠିକା କର୍ମଚାରୀଙ୍କ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାଵରେ ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯଦି କେନ୍ଦ୍ର ସରକାର ତୁରନ୍ତ ପ୍ରସ୍ତାବିତ ୧୩୨୦ ମେଗାୱାଟ୍‌ ବିଶିଷ୍ଟ ନୂତନ ପ୍ଲାଣ୍ଟକୁ ତ୍ୱରାନିତ କରିବା ସହ ବର୍ତ୍ତମାନର ପ୍ଲାଣ୍ଟକୁ ଚଳାଇବାକୁ ଶୀଘ୍ର ପଦକ୍ଷେପ ନିଅନ୍ତୁ । ନଚେତ୍‌ ଆନ୍ଦୋଳନ ଓ ଆକ୍ରୋଶକୁ କେହି ଅଟକାଇ ପାରିବେନି ବୋଲି ଆଶଂକା ସୃଷ୍ଟି ହୋଇଛି ।

Leave a Reply