ଅଲପାନଙ୍କ ବିରୋଧରେ ହୋଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ

କୋଲକାତା: ପୁଣି ଅଡୁଆରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପାନ ବନ୍ଦୋପାଧ୍ୟାୟ। ଚାକିରିରୁ ଇସ୍ତଫା ଦେଇଥିବା ଅଲପାନ୍‌ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ବତନ୍ତ୍ର ପରାମର୍ଶଦାତା ଅଛନ୍ତି । କେନ୍ଦ୍ର ପକ୍ଷରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, କେନ୍ଦ୍ର ଦେଇଥିବା ନୋଟିସର ଉତ୍ତର ମାସକ ମଧ୍ୟରେ ଦାଖଲ କରିବା ଲାଗି ତାଙ୍କୁ ଏକ ପତ୍ରରେ କୁହାଯାଇଛି। ଗତ ମେ ୩୧ରେ ତାଙ୍କୁ ପ୍ରଥମ ନୋଟିସର ଉତ୍ତର ଦେବାକୁ କୁହାଯାଇଥିବା ସତ୍ବେ ସେ ତାହାକୁ ଦାଖଲ କରି ନଥିଲେ। ଫଳରେ ପର୍ସୋନେଲ ଓ ଟ୍ରେନିଂ ବିଭାଗ ପକ୍ଷରୁ ତାଙ୍କୁ ପୁଣି ଏହି ପତ୍ର ଦିଆଯାଇଛି ।

ଯଦି ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସେ ପତ୍ରର ଉତ୍ତର ନ ରଖିବେ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଅଲପନ୍ ବନ୍ଦୋପାଧ୍ୟାୟ ମମତା ବାନାର୍ଜୀଙ୍କ ଅତି ନିକଟତର ବୋଲି କୁହାଯାଏ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୨୪ମେ ରେ ଅଲପନଙ୍କ କାର୍ଯ୍ୟକାଳକୁ ଆଉ ୩ମାସ ବଢାଇବାକୁ ନିର୍ଦ୍ଦେଶ ଦେଇଥିଲେ ମମତା । ଯଦିଓ ଅଲପାନଙ୍କ ମୁଖ୍ୟସଚିବ ଭାବେ କାର୍ଯ୍ୟକାଳ ମେ ମାସ ଶେଷ ସୁଧା ହିଁ ସରୁଥିଲା ।  ଅଲପନ ବନ୍ଦୋପାଧ୍ୟାୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜଣେ ଘନିଷ୍ଠ ଅଧିକାରୀ ଭାବରେ ବିବେଚନା କରାଯାଏ। ବନ୍ଦୋପାଧ୍ୟାୟ ୧୯୮୭ ବ୍ୟାଚର ଆଇଏଏସ୍ ଅଧିକାରୀ । ସେ ହାୱାଡ଼ା ସମେତ ଅନେକ ଜିଲ୍ଲାର ଡିଏମ୍ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଗତ ବର୍ଷ ସେପ୍ଟେମ୍ବରରେ ରାଜୀବ ସିହ୍ନା ଅବସର ନେବା ପରେ ତାଙ୍କୁ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା।

Leave a Reply