୨୦୨୫ରେ ହେବ ଦେଶର ଜନଗଣନା ! ୨୦୨୬ରେ ଆସିବ ସଂପୂର୍ଣ୍ଣ ତଥ୍ୟ

1 min read

ଭୁବନେଶ୍ୱର : ପୁଣି ଆରମ୍ଭ ହେବ ଜନଗଣନା । ଘରକୁ ଘର ବୁଲି ପରିବାରର ଲୋକ ସଂଖ୍ୟା ଗଣନା କରାଯିବ । ୨୦୧୧ ପରେ ପୁଣି ଦେଶରେ ହେବ ଜନଗଣନା । ଆସନ୍ତା ବର୍ଷ ଦେଶରେ ଜନଗଣନା ହେବାକୁ ଯାଉଛି । ଏ ନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ୨୦୨୫ରୁ ୨୦୨୬ ଯାଏ ଦେଶରେ ଚାଲିବ ଏହି ପ୍ରକ୍ରିୟା । ୨୦୨୧ରେ ହେବାର ଥିଲା ଜନଗଣନା । କିନ୍ତୁ କରୋନା ମହାମାରୀ କାରଣରୁ ବନ୍ଦ ରଖାଯାଇଥିଲା ।ଏବେ ୨୦୨୫ ରେ ଜନଗଣନା ହେବା ପରେ ଏହି ରାଷ୍ଟ୍ରୀୟ ସାଂଖିକ ଅନୁଧ୍ୟାନର ଅବଧିଚକ୍ର ମଧ୍ୟ ପରିବର୍ତ୍ତନ ହେବ, ୨୦୨୫-୨୬ ରେ ଜନଗଣନା ଶେଷ ହେଲେ ପରବର୍ତ୍ତୀ ଜନଗଣନା ୨୦୩୫ ମସିହାରେ ହେବ ।

ଏହି ଜନଗଣନା ପରେ ଦେଶର ଲୋକସଂଖ୍ୟାରେ କେତେ ବୃଦ୍ଧି ଘଟିବ, ତାହା ଉପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । କାରଣ ଏହି ତଥ୍ୟ ଆଧାରରେ ଦେଶର ସଂସଦୀୟ ନିର୍ବାଚନ ମଣ୍ଡଳୀ ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ସୀମା ପୁନଃନିର୍ଦ୍ଧାରିତ ହେବା ସହ ଆସନ ସଂଖ୍ୟା ବୃଦ୍ଧି ପାଇବ । ୨୦୨୬ରେ ଏହାର ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ୨୦୨୮ ସୁଦ୍ଧା ଦେଶରେ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବ । କିନ୍ତୁ ଜନଗଣନା ସହିତ ଜାତି ଗଣନା ହେବନି ବୋଲି ଜଣାପଡ଼ିଛି। ପ୍ରତି ୧୦ ବର୍ଷରେ ଥରେ ପୁରା ଦେଶରେ ଜନଗଣନା ହୋଇଥିଲା। ଏହି ତଥ୍ୟକୁ ଆଧାର କରି ସରକାର ବିଭିନ୍ନ ଯୋଜନା ଓ ନୀତି ନିୟମ ପ୍ରଣୟନ କରନ୍ତି। କରୋନା ପାଇଁ ୨୦୨୧ରେ ଜନଗଣନା ହୋଇନଥିଲା। ୪ ବର୍ଷ ପରେ ଆସନ୍ତା ବର୍ଷ ୨୦୨୫ରେ ଜନଗଣନା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ଆନୁଷ୍ଠାନିକ ଭାବେ ଏହା ଘୋଷଣା ହୋଇନାହିଁ।

ଜନ ଗଣନା କେମିତି କରାଯିବ, କେଉଁ କେଉଁ ଡାଟା ସଂଗ୍ରହ କରାଯିବ, କଣ କରାଯିବ ନାହିଁ, ତାହା ଏଯାଏଁ ସ୍ଥିର କରାଯାଇନାହିଁ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସେନସସ୍ କମିଶନର୍ ଓ ରେଜିଷ୍ଟ୍ରାର ଜେନେରାଲ ଥିବା ମୃତ୍ୟୁଞ୍ଜୟ କୁମାର ନାରାୟଣଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ୨୦୧୧ରେ ଶେଷ ଥର ପାଇଁ ହୋଇଥିଲା ଜଣାଗଣନା । ସେତେବେଳେ ଦେଶର ଜନସଂଖ୍ୟା ଥିଲା ୧୨୧ କୋଟି ଏବଂ ଦଶନ୍ଧିଗତ ବୃଦ୍ଧି ଥିଲା ୧୭ ଦଶମିକ ୭ ପ୍ରତିଶତ।