ବଢ଼ିବ ରାଜ୍ୟର ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା, ରାଜସ୍ବ ମନ୍ତ୍ରୀଙ୍କ ମନ୍ତବ୍ୟ ବଢ଼ାଇଲା ଚର୍ଚ୍ଚା

1 min read

ଭୁବନେଶ୍ବର : ୨୦୨୬ ଜନଗଣନା ପରେ ଲୋକସଭା ଆସନର ସୀମା ପୁନଃନିର୍ଦ୍ଧାରଣ ହେବ। ବଢ଼ିବ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା। ଲୋକସଭା ଆସନ ସହ ତାଳଦେଇ ବିଧାନସଭା ଆସନ ସଂଖ୍ୟା ମଧ୍ୟ ବଢ଼ିବ। କେନ୍ଦ୍ର ସରକାର ଏ ନେଇ ଆଲୋଚନା କରୁଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଲୋକସଂଖ୍ୟା ଓ ଭୌଗୋଳିକ ସ୍ଥିତିକୁ ନେଇ କରାଯିବ ସୀମା ନିର୍ଦ୍ଧାରଣ। ଏହାର  ପ୍ରକ୍ରିୟା ବି ଆରମ୍ଭ  କରିଛନ୍ତି କେନ୍ଦ୍ର ସରକାର। ସୁରେଶ ପୂଜାରୀ କହିଛନ୍ତି, ଯାହା ଆଲୋଚନା ହୋଇଛି ଲୋକସଭା ଆସନ ବୃଦ୍ଧି ହୋଇପାରେ। ୭ଟି ବିଧାନସଭା ଆସନକୁ ନେଇ ଗୋଟିଏ ଲୋକସଭା ଆସନ ହେଉଥିବାରୁ ଜଣେ ସାଂସଦ  ସବୁ ଅଂଚଳ ବୁଲିପାରୁନାହାନ୍ତି। ତେଣୁ ବଡ଼ ବଡ଼ ଲୋକସଭା ଆସନର ପରିସୀମାକୁ କମ୍ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଯାହା ବି ହେବ, ରାଜସ୍ବ ବିଭାଗ ପ୍ରସ୍ତୁତ ବୋଲି କହିଛନ୍ତି ମନ୍ତ୍ରୀ।

ଚର୍ଚ୍ଚା ଅନୁସାରେ ସଂସଦୀୟ କ୍ଷେତ୍ରର ସୀମା ପୁନଃନିର୍ଦ୍ଧାରଣ ପରେ ଦେଶରେ ଲୋକସଭା ଆସନ ସଂଖ୍ୟା ୮୪୮ ଛୁଇଁବ। ଏବେ ଓଡ଼ିଶାରେ ୨୧ଟି ଲୋକସଭା ଆସନ ଥିବା ବେଳେ ଏହି ସଂଖ୍ୟା ୨୮କୁ ବୃଦ୍ଧି ପାଇବ ବୋଲି କୁହାଯାଉଛି। ଲୋକସଭା ଆସନର ରୂପରେଖ ପ୍ରସ୍ତୁତ କରିବା ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଅଧିକାର। ଲୋକସଭା ଆସନ ବଢିବ ବୋଲି ସୁରେଶ ପୂଜାରୀ କହିବା ପରେ ବିଜେଡି ବିଧାୟକ ଅରୁଣ ସାହୁ ପ୍ରଶ୍ନ କରୁଛନ୍ତି-ମନ୍ତ୍ରୀ ଏହା କେଉଁ ଆଧାରରେ କହୁଛନ୍ତି। ଜନଗଣନା ହେବ ୨୦୨୭ ଏପ୍ରିଲ ମାସ ପରେ। ୨୦୨୯ରେ ନିର୍ବାଚନ ହେବ। ଜନଗଣନା ସରିନି, ତା ଆଗରୁ ଲୋକସଭା ଆସନ ବୃଦ୍ଧି ଚର୍ଚ୍ଚାକୁ କଟାକ୍ଷ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ।

କେଉଁ ରାଜ୍ୟରେ କେତେ ଲୋକସଭା ଆସନ ରହିବ, ଶେଷ ଥର ପାଇଁ ତାହା ଆବଣ୍ଟନ ହୋଇଥିଲା ୧୯୭୧ରେ। ତା ପରଠୁ ଏଥିରେ ପରିବର୍ତ୍ତନ ହୋଇନି। ଶେଷ ଥର ପାଇଁ ୨୦୦୧ ଜନଗଣନା ଆଧାରରେ ୨୦୦୮ରେ ହୋଇଥିଲା ଲୋକସଭା ଆସନ ପୁନଃସୀମା ନିର୍ଦ୍ଧାରଣ। ରାଜ୍ଯର ଲୋକସଭା ଆସନ ସଂଖ୍ୟା ବଦଳି ନଥିଲେ ମଧ୍ୟ ସୀମା ପୁନଃନିର୍ଦ୍ଧାରଣ ହୋଇଥିଲା। ଏଥର ରାଜ୍ୟର ଜନସଂଖ୍ୟା ଅନୁସାରେ ଲୋକସଭା ଆସନ ମିଳିବ ବୋଲି କିଛି ଦିନ ତଳେ ହୋଇଥିଲା ଚର୍ଚ୍ଚା। ଏପରି ହେଲେ ଯେଉଁ ରାଜ୍ୟ ଜନସଂଖ୍ୟା ନିୟନ୍ତ୍ରଣ କରିଛନ୍ତି, ସେମାନଙ୍କ ଭାଗରେ କମ୍ ଆସନ ପଡ଼ିବ। ରାଜନୈତିକ ଦୃଷ୍ଟିରୁ ପାର୍ଲାମେଣ୍ଟରେ ସେହି ରାଜ୍ୟର ପ୍ରତିନିଧି ସଂଖ୍ୟା ବର୍ତ୍ତମାନ ଅପେକ୍ଷା କମିବ, ଦିଲ୍ଲୀ ଦରବାରରେ ସେହି ରାଜ୍ୟର ସ୍ଵରର ତୀବ୍ରତା କମିବ। ବିଶେଷ କରି ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ କ୍ଷତିରେ ପଡ଼ିବେ ବୋଲି ଆଶଙ୍କା କରି ଏପରି ବ୍ୟବସ୍ଥାକୁ ତାମିଲନାଡୁ, କେରଳ ସମେତ ଅନେକ ରାଜ୍ଯ ବିରୋଧ କରୁଛନ୍ତି।