ଜାତୀୟ ଉଠାଦୋକାନୀ ଦିବସ, ମାଷ୍ଟରକ୍ୟାଣ୍ଟିନରେ ଶୋଭାଯାତ୍ରା

1 min read

ଭୁବନେଶ୍ୱର: ଦେଶରେ ପ୍ରାୟ ୪ କୋଟିରୁ ଅଧିକ ଉଠାଦୋକାନୀ ଥିବା ସର୍ଭେରୁ ଜଣାପଡିଛି । ଉଠାଦୋକାନୀଙ୍କ ପାଇଁ କେନ୍ଦ୍ରରେ ସ୍ବତନ୍ତ୍ର ଆଇନ ପ୍ରଣୟନ ହୋଇଥିବା ବେଳେ ଓଡିଶାରେ ମଧ୍ୟ ଅନୁରୂପ ଆଇନ କାର୍ଯ୍ୟକାରୀ କରାଯାଇଛି । ଉଠାଦୋକାନୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହିତ ସେମାନଙ୍କୁ ସାମାଜିକ ସୁରକ୍ଷା ଦେବା ଲାଗି ଏହି ନିୟମ କାର୍ଯ୍ୟକାରୀ କରାଯାଉଛି । ଜାନୁଆରୀ ୨୦ତାରିଖରେ ଏହି ନିୟମ ଲାଗୁ ହୋଇଥିବା ବେଳେ ଆଜିର ଦିନକୁ ସର୍ବଭାରତୀୟ ସ୍ତରରେ ଜାତୀୟ ଉଠାଦୋକାନୀ ଦିବସ ଭାବେ ପାଳନ କରାଯାଉଛି ।

ଏହି ଅବସରରେ ନିଖିଳ ଉତ୍କଳ ଉଠାଦୋକାନୀ ମହାସଂଘ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ୟୁନିଟ-୧ ମାର୍କେଟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଆୟୋଜିତ ସମାବେଶରେ ଉଠାଦୋକାନୀଙ୍କ ବିଭିନ୍ନ ସମସ୍ୟା ଓ ଦାବୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସମାବେଶରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହି ଉଠାଦୋକାନୀଙ୍କ ଦାବି ଓ ତାହାର ସମାଧାନ ଦିଗରେ ଆଲୋକପାତ କରିଥିଲେ।