ସରଳ ହେଲା ବିଧାୟକ ପାଣ୍ଠିରେ ସିଲିଂ ବ୍ୟବସ୍ଥା । ଏଣିକି ୧ଲକ୍ଷ ଉପରେ ପାଣ୍ଠି ଖର୍ଚ୍ଚ ପାଇଁ ମିଳିଲା ଅନୁମତି । ବିଧାୟକଙ୍କ ଦାବି ପରେ ସରକାର ନେଲେ ୟୁ-ଟର୍ଣ୍ଣ । ଚାପ ପଡିଲା। ବଦଳିଲା ନିୟମ। ଏଣିକି ୫ ଲକ୍ଷ ପରିବର୍ତ୍ତେ ୧ଲକ୍ଷ ଟଙ୍କାଠାରୁ ପ୍ରକଳ୍ପ ପାଇଁ ପାଣ୍ଠି ଦେଇପାରିବେ ବିଧାୟକ । ବିଧାୟକ ଆଂଚଳିକ ପାଣ୍ଠି ବା ଏମଏଲଏ ଲ୍ୟାଣ୍ଡ ସିଲିଙ୍ଗ ବ୍ୟବସ୍ଥାକୁ ପୂର୍ବପରି କାର୍ଯ୍ୟକାରି କରାଯିବ । ବିଜେପି ସରକାର ଆସିବା ପରେ ୫ଲକ୍ଷ ଉପରେ କାମ କରିବା ପାଇଁ ବିଧାୟକ ପାଣ୍ଠି ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଥିବାରୁ ବିଧାୟକମାନେ ନାନା ସମସ୍ୟା ଭୋଗୁଥିଲେ । ବିଧାୟକ ପାଣ୍ଠିରେ ସିଲିଂ ନରଖିବା ଲାଗି ଦଳମତ ନିର୍ବିଶେଷରେ ମୌସୁମୀ ଅଧିବେଶନରେ ସମୟରେ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ଦେଇଥିଲେ । ପାଣ୍ଠି ଖର୍ଚ୍ଚ ନେଇ ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିବା ପରେ ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିର ପୁନଃବିଚାର କରି ପାଣ୍ଠିଖର୍ଚ୍ଚକୁ ସରଳୀକରଣ କରିଛନ୍ତି । ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି ବିଧାୟକ ପାଣ୍ଠି ଖର୍ଚ୍ଚ ପ୍ରକ୍ରିୟା ବହୁ ବିଳମ୍ବ ହେଉଥିବାରୁ ବିଧାୟକମାନେ ଅସୁବିଧା ସମ୍ମୁଖିୀନ ହେଉଛନ୍ତି । ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ ।
ଗାଁ ମନ୍ଦିର ପିଣ୍ଡି, ପୋଖରୀ ହୁଡାର ଘାଟ, ଚଉତରା, ଦୋଳମଣ୍ଡପ ପରି ଛୋଟବଡ ବିକାଶମୂଳକ କାମ ପାଇଁ ବିଧାୟକମାନେ ଗାଁକୁ ଗଲେ ୫୦ ହଜାରରୁ ୫ଲକ୍ଷ ଭିତରେ ନିଜର ବିଧାୟକ ପାଣ୍ଠିରୁ ଅର୍ଥ ଦେଇଥାନ୍ତି । ହେଲେ ବିଜେପି ସରକାର ଆସିବା ପରେ ଏଥିରେ ଅଙ୍କୁଶ ଲଗାଇଥିଲେ । ପୂର୍ବପରି ବିଧାୟକମାନେ ପାଣ୍ଠି ଦେବାର ବ୍ୟବସ୍ଥା ହୋଇଥିବାରୁ କଂଗ୍ରେସ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ବିଧାୟକ ପାଣ୍ଠିଖର୍ଚ୍ଚ ନେଇ ଯେଉଁ ସମସ୍ୟା ରହିଛି ତାହାକୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବିଧାୟକ ମଙ୍ଗୁ୍ ଖିଲ ଦାବି କରିଛନ୍ତି । ବିଜେପି ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି ସରକାରଙ୍କ ନିଷ୍ପତ୍ତି ସ୍ବାଗତ ଯୋଗ୍ୟ । ବିଧାୟକ ପାଣ୍ଠିରେ ସିଲିଂ ନେଇ ଯେଉଁ ଦ୍ବନ୍ଦ୍ବ ଥିଲା ତାହା ହଟିଥିବାରୁ ଏଣିକି ବିକାଶ କାମ ତ୍ବରାନ୍ବିତ ହୋଇପାରିବ ବୋଲି ସମସ୍ତେ ଆଶା ରଖିଛନ୍ତି ।

