ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦା ଉପରେ ଲାଗିପାରେ ଲଗାମ, ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଏଣିକି ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦା ଉପରେ ଲାଗିପାରେ ଲଗାମ । ଚାନ୍ଦା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ । ବିଭିନ୍ନ ସୂତ୍ରରୁ ମିଳୁଥିବା ବେନାମୀ ଚାନ୍ଦାର ଆକାର ୨୦ ହଜାରରୁ ୨ ହଜାର ଟଙ୍କାକୁ କମାଇବାକୁ ନିର୍ବାଚନ କମିଶନ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି । ଯଦି କୌଣସି ରାଜନୈତିକ ଦଳକୁ ବେନାମୀ ଚାନ୍ଦା ଆକାରରେ ୨ ହଜାରରୁ କମ୍ ଟଙ୍କା ମିଳେ, ତେବେ ଏହି ଚାନ୍ଦା ବାବଦରେ ନିର୍ବାଚନ କମିଶନଙ୍କୁ ଅବଗତ କରିବା ଆବଶ୍ୟକତା ନାହିଁ । ଏବେ ଏହି ଚାନ୍ଦାର ଆକାର ୨୦ ହଜାର ଟଙ୍କା ରହିଛି । ଏହାକୁ କମାଇ ୨ ହଜାର ଟଙ୍କା କରିବାକୁ ନିର୍ବାଚନ କମିଶନ ପ୍ରସ୍ତାବ ଦେଇଛନ୍ତି । ଏହାସହ ଗୋଟିଏ ଦଳକୁ ସର୍ବାଧିକ ମୋଟ୍ କ୍ୟାସ୍ ଡୋନେସନ ୨୦ କୋଟିରେ ସୀମିତ ରଖିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ଚିଠି ଲେଖିଛନ୍ତି ।

ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦାରେ ସ୍ବଚ୍ଛତା ଆଣିବାକୁ ଏହି ପ୍ରସ୍ତାବ ଦିଆଯାଇଛି । ବର୍ତ୍ତମାନ ଥିବା ଆଇନ୍ ଅନୁଯାୟୀ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ବାବଦରେ ନିର୍ବାଚନ କମିଶନଙ୍କୁ ଜଣାଇବା ବାଧ୍ୟତାମୂଳକ । ଅନେକ ରାଜନୈତିକ ଦଳ କିଛି ଡୋନେସନ ମିଳୁନଥିବା ଦର୍ଶାଉଥିବା ବେଳେ, ଅଡିଟ୍ ବେଳେ କିନ୍ତୁ ବ୍ୟାପକ ନଗଦ ଟଙ୍କା ଡୋନେସନରେ ମିଳିଥିବା ଜଣାପଡୁଛି । ଏହାସହ ନିର୍ବାଚନରେ ଜଣେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦଳ ୨ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ପାଇଁ ଦେଲେ ଡିଜିଟାଲ କିମ୍ବା ଆକାଉଣ୍ଟ ପେୟୀ ଚେକ୍ ଆକାରରେ ଦେବାକୁ ପ୍ରସ୍ତାବ ଦିଆଯାଇଛି । ଯଦି ନିର୍ବାଚନ କମିଶନଙ୍କ ପ୍ରସ୍ତାବକୁ ଗ୍ରହଣ କରି ଆଇନରେ ପରିବର୍ତ୍ତନ କରାଯାଏ, ତେବେ ନିର୍ବାଚନ ଲଢ଼ିବାକୁ ଟଙ୍କା ଗ୍ରହଣ ପାଇଁ ଜଣେ ପ୍ରତିଦ୍ୱନ୍ଦ୍ବୀଙ୍କୁ ଅଲଗା ଆକାଉଣ୍ଟ ଖୋଲିବାକୁ ପଡ଼ିବ ।