ଆଜିଠାରୁ ଆରମ୍ଭ ହୋଇଛି ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବିରତି
1 min readନୂଆଦିଲ୍ଲୀ : ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବନ୍ଦ। ଆଜିଠାରୁ ଆରମ୍ଭ ହୋଇଛି ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବିରତି। ଗାଜାରେ ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲ ସିକ୍ଯୁରିଟି କ୍ଯାବିନେଟର ମଞ୍ଜୁରୀ ମିଲିଥିଲା। ବୁଝାମଣା ମୁତାବକ ଆଜିଠାରୁ ଏହି ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଛି। ହମାସ କବଳରେ ଥିବା ପଣବନ୍ଦୀମାନେ ମୁକ୍ତି ପାଇବାର ଆଶା ଉଜ୍ଜୀବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ଗାଜାରେ ୪୬ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ ୧୦ଲକ୍ଷରୁ ଅଧିକ ଲୋକ ବାସଚ୍ୟୁତ ହୋଇଛନ୍ତି । ଯଦି ଏହି ଅସ୍ତ୍ରବିରତି ସଫଳତାର ସହ କାର୍ଯ୍ୟକାରୀ ହୁଏ ତେବେ ଇରାନ, ଲେବାନନ, ୟେମେନ, ଇରାକ ମଧ୍ଯରେ ଦେଖାଦେଇଆସିଥିବା ଉତ୍ତେଜନା ପ୍ରଶମିତ ହେବା ଆଶା ରହିଛି । ପ୍ରସ୍ତାବ ଅନୁସାରେ ୩୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ ମୁକ୍ତ କରିବ । ସେମାନଙ୍କ ମଧ୍ଯରେ ଅଛନ୍ତି ମହିଳା, ଶିଶୁ ଓ ୫୦ ବର୍ଷରୁ ଅଧିକ ବୟସର ଲୋକ ରହିଛନ୍ତି । ପ୍ରତିବଦଳରେ ଇସ୍ରାଏଲ ପ୍ରଥମ ପର୍ଯ୍ୟାୟରେ ୧୯ ବର୍ଷରୁ କମ ବୟସର ପାଲେଷ୍ଟିନୀୟ ମହିଳା ଓ ଶିଶୁଙ୍କୁ ମୁକ୍ତ କରିବ । ଇସ୍ରାଏଲ କବ୍ଜାରେ ଥିବା ୯୯୦ରୁ ୧୬୫୦ ପାଲେଷ୍ଟିନୀୟଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଇସ୍ରାଏଲ ମୁକ୍ତି ଦେବା ସମ୍ଭାବନା ରହିଛି । ଇସ୍ରାଏଲ ପକ୍ଷରୁ କୁହାଯାଉଛି ଗାଜାରେ ବର୍ତ୍ତମାନ ୯୮ ଜଣ ଇସ୍ରାଏଲୀ ପଣବନ୍ଦୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଯେଉଁ ୩୩ ଜଣଙ୍କୁ ହମାସ ଖଲାସ କରିବା ସମ୍ଭାବନା ରହିଛି ସେମାନଙ୍କ ନାମ ଜାରି କରିଛନ୍ତି ଇସ୍ରାଏଲ କର୍ତ୍ତୃପକ୍ଷ । ତେବେ ସେମାନଙ୍କ ମଧ୍ଯରେ କେତେ ଜଣ ଜୀବିତ ତାହା ସ୍ପଷ୍ଟ ହୋଇନାହିଁ । ଆସନ୍ତାକାଲି ଆମେରିକାରେ ସରକାର ପରିବର୍ତ୍ତନ ହେବାକୁ ଯାଉଥିବାବେଳେ ଏହି ଅସ୍ତ୍ରବିରତି ଗୁରୁତ୍ବ ବହନ କରିଛି।