CDS ବିପିନ ରାଓ୍ୱତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ସଞ୍ଜୟ ରାଉତ

1 min read

ମୁମ୍ବାଇ: ଗତ ବୁଧବାର ତାମିଲନାଡୁର କୁନ୍ନୁରରେ ବାୟୁ ସେନାର MI-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ସହିଦ ହୋଇଛନ୍ତି ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ୱତ । ବିପିନ ରାଓ୍ୱତ, ତାଙ୍କ ପତ୍ନୀଙ୍କ ସହ ମୋଟ ୧୩ ଜଣ ସେନା ଅଧିକାରୀ ଏହି ଦୁର୍ଘଟଣାରେ ସହିଦ ହୋଇଛନ୍ତି । ଏହି ଦୁର୍ଘଟଣାରେ ରାଓ୍ୱତଙ୍କ ମୃତ୍ୟୁ ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ମଧ୍ୟ ବିପିନ ରାଓ୍ୱତଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି ଦେଶବାସୀ ।

ତାମିଲନାଡୁ କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ସେ କହିଛନ୍ତି କି ଏହି ଦୁର୍ଘଟଣାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ୱତଙ୍କ ମୃତ୍ୟୁ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ପାକିସ୍ତାନ ଓ ଚୀନ ବିପକ୍ଷରେ ଭାରତୀୟ ସେନା ଲଢ଼ିବା ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ବିପିନ । ସଞ୍ଜୟ ରାଉତ ଆହୁରି କହିଛନ୍ତି କି ଦେଶର ସର୍ବୋଚ୍ଚ ସେନାପତି ସବୁଠାରୁ ଆଧୁନିକ ଓ ସୁରକ୍ଷିତ ହେଲିକପ୍ଟରରେ ଯାତ୍ରା କରୁଥିଲେ । ତେବେ ଏହି ହେଲିକପ୍ଟର କିପରି ଦୁର୍ଘଟଣାଗ୍ରସ୍ତ ହେଲା ତାହା ଏବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି ।

ଏହି ଦୁର୍ଘଟଣାରେ ସିଡିଏସଙ୍କ ମୃତ୍ୟୁ ପରେ ସାରା ଦେଶର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଲୋକଙ୍କ ମନରେ ପ୍ରଶ୍ନ ଯେ ଏହି ଦୁର୍ଘଟଣା କିପରି ହୋଇଛି । ତେଣୁ ପ୍ରତିରକ୍ଷା ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ସାଧାରଣ ଲୋକଙ୍କ ସବୁ ସନ୍ଦେହକୁ ଦୂର କରିବା ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ସର୍ଜିକାଲ ଷ୍ଟ୍ରାଇକ୍ ହେଉ କିମ୍ବା ପୁଲୁଓ୍ୱାମା ଆକ୍ରମଣ ପରେ ଭାରତୀୟ ବାୟୁ ସେନା ଦ୍ୱାରା ହୋଇଥିବା ଏୟାର ଷ୍ଟ୍ରାଇକ ସବୁ ବଡ଼ ଆକ୍ରମଣ ପଛରେ ବିପିନ ରାଓ୍ୱତ ବଡ଼ ଭୂମିକା ତୁଲାଇଥିଲେ ବୋଲି କହିଛନ୍ତି ସଞ୍ଜୟ ରାଉତ ।

Leave a Reply