ଫେବୃଆରୀ ୧୫ରୁ CBSE ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ

1 min read

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୫ରୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ(CBSE)ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ । ଉଭୟ ଶ୍ରେଣୀର ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହେବ ।  ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୨୦ରେ ଶେଷ ହେବାକୁ ଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୩୦ରେ ଶେଷ ହେବ । ଏନେଇ ମଙ୍ଗଳବାର CBSE ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଦଶମ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନ ୧୪ଟି ବିଷୟର ପରୀକ୍ଷା ରହିଛି । ମାର୍ଚ୍ଚ ୨୦ ତଥା ଶେଷ ଦିନରେ କମ୍ପ୍ୟୁଟର ଆପ୍ଲିକେସନ ଓ ଇନ୍ଫରମେସନ ଆଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି ବିଷୟର ପରୀକ୍ଷା ହେବ । ଫେବୃଆରୀ ୨୪ରେ ଓଡ଼ିଆ କିମ୍ବା ଅନ୍ୟାନ୍ୟ ଭାଷାର ପରୀକ୍ଷା ଥିବାବେଳେ ୨୬ରେ ଇଂରାଜୀ, ୨୯ରେ ହିନ୍ଦୀ, ମାର୍ଚ୍ଚ ୪ରେ ବିଜ୍ଞାନ ବିଷୟର ଥିଓରୀ ଓ ପ୍ରାକ୍ଟିକାଲ, ମାର୍ଚ୍ଚ ୭ରେ ସଂସ୍କୃତ, ମାର୍ଚ୍ଚ ୧୨ରେ ଗଣିତ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ ।

ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନ ୨୩ଟି ବିଷୟର ପରୀକ୍ଷା ରହିଛି । ମାର୍ଚ୍ଚ ୩୦ ତାରିଖରେ ପରୀକ୍ଷାର ଶେଷ ଦିବସରେ ସାମାଜିକ ବିଜ୍ଞାନ ବିଷୟର ପରୀକ୍ଷା ରହିଛି । ଫେବୃଆରୀ ୨୭ରେ ଇଂରାଜୀ ଇଲେକ୍ଟିଭ୍ ଓ କୋର୍ ବିଷୟର ପରୀକ୍ଷା ଥିବା ବେଳେ ମାର୍ଚ୍ଚ ୨ରେ ପଦାର୍ଥ ବିଜ୍ଞାନ, ମାର୍ଚ୍ଚ ୫ରେ ଆକାଉଣ୍ଟାନ୍ସି, ମାର୍ଚ୍ଚ ୭ରେ ରସାୟନ ବିଜ୍ଞାନ, ମାର୍ଚ୍ଚ ୧୩ରେ ଅର୍ଥନୀତି, ମାର୍ଚ୍ଚ ୧୪ରେ ଜୀବ ବିଜ୍ଞାନ, ମାର୍ଚ୍ଚ ୧୭ରେ ଗଣିତ, ମାର୍ଚ୍ଚ ୨୮ରେ ବାୟୋଟେକ୍ନୋଲୋଜି ପରୀକ୍ଷା ହେବ । ପ୍ରତିଦିନ ୧୦/୩୦ମି.ରୁ ପରୀକ୍ଷା ଆରମ୍ଭ ହେବ ।

ବିଷୟ ଅନୁଯାୟୀ ପରୀକ୍ଷାର ସମୟ ସୀମା ଧାର୍ଯ୍ୟ କରାଯାଇଛି । ୧୦ଟା ସୁଦ୍ଧା ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବାଧ୍ୟତାମୂଳକ କରାଯାଇଛି । ୧୦/୧୫ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତା ଏବଂ ପ୍ରଶ୍ନପତ୍ର ଦିଆଯିବ । ପ୍ରଥମେ ପରୀକ୍ଷାର୍ଥୀ ଉତ୍ତର ଖାତାରେ ସେମାନଙ୍କ ସବିଶେଷ ତଥ୍ୟ ଲେଖିବେ । ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟମାନେ ତାହାକୁ ଯାଞ୍ଚ କରିବା ସହ ଦସ୍ତଖତ ମାରିବେ । ୧୦/୧୫ମି.ରୁ ୧୦/୩୦ମି. ପର୍ଯ୍ୟନ୍ତ ପ୍ରଶ୍ନପତ୍ର ପଢ଼ିବାକୁ ସମୟ ଦିଆଯିବ । ୧୦/୩୦ମି.ରୁ ଉତ୍ତର ଖାତାରେ ଲେଖିବା ଆରମ୍ଭ କରିବେ ଛାତ୍ର ଛାତ୍ରୀ ।

ଉଭୟ ଶ୍ରେଣୀ ପରୀକ୍ଷାର ସବିଶେଷ ତଥ୍ୟ ‘www.cbse.nic.in’ ରେ ଉଲ୍ଲେଖ କରାଯାଇଛି । ଚଳିତବର୍ଷ ଓଡ଼ିଶାରୁ ଦଶମ ଶ୍ରେଣୀରେ ୧୮ ହଜାର ଓ ଦ୍ୱାଦଶ ଶ୍ରେଣୀରେ ୧୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ଜଣାପଡିଛି. ପରୀକ୍ଷା ପରିଚାଳନା ପାଇଁ ପ୍ରତି ବର୍ଷ ଭଳି  ଏଥର ମଧ୍ୟ CBSE ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Leave a Reply